
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଆଜି ପିପଲମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାରରେ ଏକ ଅଚିହ୍ନା ଶବ ସତ୍କାର କରାଯାଇଛି । ସୂଚନା କ୍ରମେ ଗତ ବୁଧବାର ଦିନ ବରଗଡ଼ ଜିଲ୍ଲା ଗୋଡଭୋଗା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ଗାଁ ନିକଟରେ ବୋହି ଯାଇଥିବା କେନାଲ ପାଣିରେ ଏକ ମୃତ ଶବ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ତେବେ ଖବରପାଇଁ ଗୋଡ଼ଭୋଗା ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ମୃତ ଶବ କେନାଲ ପାଣିରୁ ପଦାକୁ ଆଣିବା ସହିତ ତାର ପଞ୍ଚନାମା କରିଥିଲେ । ମୃତ ଶବ ୫୦ରୁ ୫୫ବର୍ଷୀୟ ଜଣେ ମହିଳାଙ୍କ ହୋଇଥିବା ଅନୁମାନ କରାଯାଇଥିଲା ହେଲେ ତାଙ୍କର କୌଣସି ପରିଚୟ ମିଳିପାରି ନଥିବାରୁ ତାଙ୍କ ପରିଚୟ ପାଇଲେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସକାଶେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଶବ ସଂରକ୍ଷଣ ଗୃହରେ ରଖାଯାଥିଲା ମାତ୍ର ଆଜି ଶନିବାର ଦିନ ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ପରିଚୟ ମିଳିପାରିନଥିବାରୁ ଫାଣ୍ଡି ଅଧିକାରୀଙ୍କ ଅନୁରୋଧ କ୍ରମେ ଆଜି ସଂକଳ୍ପ ପରିବାରର ସଦସ୍ୟ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ମୃତ ଶରୀରକୁ ମହାପ୍ରୟାଣ ଗାଡି ସାହାଯ୍ୟରେ ସ୍ଥାନୀୟ ପିପଲମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାରକୁ ନେଇ ସମ୍ମାନର ସହିତ ଶବ ସତ୍କାର କରିଥିଲେ । ଏଥିରେ ସଂକଳ୍ପ ପରିବାରର ସମ୍ପାଦକ ଜି. ରମେଶ, ଆକାଶ ପଣ୍ଡା, ନିଲେଶ ପଧାନ, ଶେଷଦେବ ପଧାନ, ହେମନ୍ତ ସାହୁ ଓ ବିକାଶ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି ଶବ ସତ୍କାର କରିଥିଲେ । ପ୍ରକାଶ ଥାଉକି ଯେ, ସଂକଳ୍ପ ପରିବାର ମୁଖ୍ୟତଃ ବରଗଡ଼ ଅଞ୍ଚଳରେ ଅନବରତ ଭାବରେ ଅନେକ ସାମାଜିକ କାର୍ଯ୍ୟରେ ଜଡିତ ରହି ଆସୁଥିବା ସହିତ ଆଜି ଏକ ଅଚିହ୍ନା ମହିଳାଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ସୃଷ୍ଟି କରିଛି ।