ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କୋକନରା ଗ୍ରାମର ଜଣେ ଝିଅଙ୍କ ଶବ ସାଗୁଆନ ଗଛରେ ଝୁଲୁଥିବାର ଲୋକେ ରବିବାର ଅପରାହ୍ନରେ ଦେଖିଥିଲେ । ଗ୍ରାମରେ ଘଟଣାଟି ପ୍ରଘଟ ହେବା ପରେ ଲିଙ୍ଗରାଜ ରାଉତଙ୍କ ଝିଅ ଅଲିଭା ରାଉତ ଶନିବାର ସନ୍ଧ୍ୟାରେ ଘରୁ କୁଆଡ଼େ ଯାଇ ରବିବାର ଫେରି ନଥିବାରୁ କାଳେ ମୋର ଝିଅ ହୋଇଥିବା ବୋଲି ଲିଙ୍ଗରାଜ ଘଟଣା ସ୍ଥଳକୁ ଯାଇ ଦେଖିଥିଲେ । ତାଙ୍କ ଝିଅ ଅଲିଭା ରାଉତ(୨୭) ନିଜ ଓଢ଼ଣୀ ବେକରେ ଫାଶୀ ଦେଇ ଗଛରେ ଝୁଲୁଥିବା ଦେଖିଥିଲେ । ପାଇକମାଲ ଥାନାକୁ ଡା. ଶ୍ରୀକାନ୍ତ ରାଉତ ଝିଆରୀର ମୃତ୍ୟୁ ଖବର ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାଇକମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ସାଇଣ୍ଟିଫିକ ଦଳକୁ ଖବର ଦେଇଥିଲେ । ସାଇଣ୍ଟିଫିକ ଦଳ ସନ୍ଧ୍ୟାରେ ପହଞ୍ଚି ଅନୁସନ୍ଧାନ କଲା ପରେ ପାଇକମାଲ ପୋଲିସ ଅଲିଭାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ପଠାଇଥିଲେ । ପାଇକମାଲ ପୋଲିସ ଅପମୃତ୍ୟୁ କେସ୍ ନମ୍ବର ୩/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ବୋଲି ପାଇକମାଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଅଲିଭା ରାଉତ ପଦ୍ମପୁର ମହିଳା +୨ କଲେଜରେ ଦ୍ୱିତୀୟ ବର୍ଷରେ ଅଧ୍ୟୟନରତ ଥିବା ବେଳେ ତାଙ୍କର ଅଜା ଶ୍ରୀରାମ ରାଉତ ମୋର ନାତୁଣୀକୁ କେହି ମାରି ଦେଇ ଗଛରେ ଟାଙ୍ଗି ଦେଇଛି ବୋଲି କହିଛନ୍ତି ।