ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ପ୍ରପୀଡ଼ିତ ଜିଲ୍ଲା ଭାବେ ଘୋଷଣା କରିବାକୁ ଋଷିକୂଲ୍ୟା ରୟତ ମହାସଭା ମଞ୍ଚ ପକ୍ଷରୁ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଏବେ ଧାନଫସଲ କ୍ଷେତରେ ଅଭାବନୀୟ ପରିସ୍ଥିତି ଦେଖାଯାଇଛି । ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଜିଲ୍ଲାର ପ୍ରାୟ ୭୮ ପ୍ରତିଶତ ଜମିରେ ଧାନ ତଳି ନଷ୍ଟ ହୋଇଯାଇଥିବା କୁହାଯାଏ । ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ କୁହାଯାଇଛି । ତୁରନ୍ତ ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ପ୍ରପୀଡ଼ିତ ଜିଲ୍ଲା ଭାବେ ଘୋଷଣା କରିବାକୁ ଋଷିକୂଲ୍ୟା ରୟତ ମହାସଭା ମଞ୍ଚ ପକ୍ଷରୁ ଦାବୀ ହୋଇଛି । ଫସଲ ବୀମା ଭୁକ୍ତ କରିବା, କୃଷି ଋଣ ଛାଡ କରିବା, ଧାନକ୍ଷେତରେ ନଷ୍ଟ ହୋଇଯାଇ ଥିବା ଧାନ ତଳିର କ୍ଷତିପୂରଣ ପ୍ରଦାନ କରିବା, ବୋର୍‌ୱେଲ୍‌ ଗୁଡିକର କାର୍ଯ୍ୟକ୍ଷମ କରାଇବା ଆଦି ଦାବୀ ନେଇ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦୃଢ଼ଦାବୀ ହୋଇଛି । ଏ ନେଇ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ଅନୁଷ୍ଠିତ ଏକ ପ୍ରେସମିଟ୍‌ରେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ବିଭିନ୍ନ ଦାବୀ ସମ୍ବଳିତ ଏକ ଇସ୍ତାହାର ପ୍ରକାଶ କରାଯାଇଛି । ଅନୁଷ୍ଠିତ ଏହି ଖବରଦାତା ସମ୍ମିଳନୀରେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାାଦକ ସିମାଞ୍ଚଳ ନାହାକ, ଉପଦେଷ୍ଠା ତଥା ଆଇନଜୀବୀ ରାଜେନ୍ଦ୍ର ଦାଶ, ଟି.କିଷ୍ଣା ରାଓ, ଶରତ ଚନ୍ଦ୍ର ପଟ୍ଟନାୟକ, କିଶୋର ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥାପନା କରାଯାଇଛି ଯେ, ବହୁ ଅଞ୍ଚଳରୁ ପୋଡି ଯାଇଥିବା ଧାନ ତଳିର ନମୂନା ସଂଗ୍ରହ ହୋଇଛି । ଯେହେତୁ ଗଞ୍ଜାମ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ମାତ୍ର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ରହିଛି । ବର୍ଷା ହେଉ ନ ଥିବା ବେଳେ ସ୍ଵର୍ଗକୁ ଆଶ୍ରା କରି ଚଳୁଥିବା ଚାଷୀମାନେ ଆଜି ଦୁର୍ଦ୍ଦଶାର ଦୁର୍ଦ୍ଦିନରେ ସଢୁଛନ୍ତି । ଧାନ ତଳିଗୁଡ଼ିକ ପୋଡି ନଷ୍ଟ ହୋଇଗଲାଣି । ଶ୍ରାବଣମାସ ଶେଷ ହେବାକୁ ଯାଉଥିବା ବେଳେ ଜମିରେ ଉପଯୁକ୍ତ ପାଣି ନ ଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ବର୍ତ୍ତମାନ ଜିଲ୍ଲାର ୨୨ଟି ବ୍ଲକ ମଧ୍ୟରୁ ଅଧିକାଂଶ ଅଞ୍ଚଳର ଧାନ ଜମି ଫାଟି ଆଁ କରି ରହିଛି, ବୋଲି ଅଭିଯୋଗର ସହ କୃଷକ ନେତାମାନେ ଉଦବେଗ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଏ ଦିଗରେ ସର୍ବେକ୍ଷଣ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦୃଢ଼ ଦାବୀ ହୋଇଛି । ନଚେତ ଚାଷୀକୁଳ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.