ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନାର କରାଳତା ସାଙ୍ଗକୁ ବାରମ୍ବାର ଲକ୍ଡାଉନ୍ ଅନେକେଙ୍କ ଜୀବନ ଜୀବିକା ଉଜାଡି ଦେଇଛି । ମାଛ, ମାଂସ, ପନିର ସାଙ୍ଗକୁ ଛଅ ତିଅଣ ନଅ ଭଜା ତିଆରି କରି ପରସୁଥିବା ରୋଷେୟାଙ୍କ ପାଇଁ ଲକ୍ଡାଉନ୍ କାଳ ସାଜିଛି । ଲଗାତାର ଦୁଇ ବର୍ଷ ଠିକ ସିଜନ୍ ସମୟରେ ଲକ୍ଡାଉନ ତାଙ୍କ ଘର ଚୁଲି ଲିଭେଇ ଦେଇଛି । ପେଟ ଦାଉରେ ରୋଷେୟା ପରିବାର କୁଲି କାମ କରିବାକୁ ବାଧ୍ୟ ହେଉଥିବା ଦେଖା ଦେଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସହର ତାଲପାଲି ପଡା ଠାରେ । ପଞ୍ଚାନନ ତ୍ରିପାଠୀ ପେଷାରେ ଜଣେ ରୋଷେୟା । ଦୁଇ ବର୍ଷ ଲକ୍ଡାଉନ୍ ତାଙ୍କର ଆର୍ଥିକ ଅବସ୍ଥା ଭାଙ୍ଗି ଦେଇଛି । ପଞ୍ଚାନନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଠିକ ନଥିବା ବେଳେ, ସ୍ତ୍ରୀ ସୁଷମାଙ୍କୁ ପେଟ ପୋଷିବା ପାଇଁ କୁଲି କାମ କରିବାକୁ ପଡୁଛି । ମାଗଣା ଚାଉଳ ପରିବାରର ପେଟ ଭରିବା ପର୍ଯ୍ୟାପ୍ତ ହେଉନାହିଁ । ସ୍ତ୍ରୀ ସୁଷମାଙ୍କୁ ମଜୁରୀ ମିଳିଲେ ଘରେ ଚୁଲି ଜଳୁଛି । ତେବେ ବଲାଙ୍ଗିରର ସିଂହଭାଗ ରୋଷେୟା ଓ ସହଯୋଗୀ ଗ୍ରାମାଞ୍ଚଳରେ ବସବାସ କରନ୍ତି । ଲକଡାଉନ୍ ସାଙ୍ଗକୁ ସରକାରୀ କଟକଣା ଯୋଗୁଁ ଲଗାତାର ଗତ ବର୍ଷ ରୋଷେୟା ମାନେ ରୋଜଗାର ହରାଇଛନ୍ତି । ଠିକ ସ୍ଥିତି ସୁଧୁରୁ ଥିବାବେଳେ ଦ୍ୱିତୀୟ ଲହର ବୋଝ ଉପରେ କରୋଡା ମାଡ ସାଜିଛି । ରୋଜଗାର ଶୁନ ଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ଓ ପରିବାରର ଭରଣ ପୋଷଣ ଚିନ୍ତାରେ ସେମାନେ ଭାଙ୍ଗି ପଡିଛନ୍ତି । ସହରାଞ୍ଚଳରେ ବସବାସ କରୁଥିବା ଏହି ରୋଷେୟା ପରିବାର ଅବସ୍ଥାକୁ ଦେଖି ଗାଁ ଗଣ୍ଡାର ରୋଷେୟାମାନଙ୍କ ଅବସ୍ଥା ସହଜରେ ବୁଝି ହେଉଥିବ । ପ୍ରକାଶ ଯେ, ପ୍ରତ୍ୟେକ ରୋଷେୟା ଉପରେ ପ୍ରାୟ ଦଶ ବାର ଜଣ ସହେଯାଗୀ ତାଙ୍କ ପରିବାର ନିର୍ଭର କରନ୍ତି । ରୋଷେୟାଙ୍କୁ ରୋଜଗାର ମିଳିଲେ ସହଯୋଗୀଙ୍କ ଘର ଚଳେ । ସେହିପରି ଭୋଜି ପରସିବା ପାଇଁ ପ୍ରାୟ ୫୦ରୁ ୬୦ କେଟରିଂ ବଏ ମଧ୍ୟ ସେମାନଙ୍କ ଉପରେ ନିର୍ଭରଶୀଳ ରହିଥାନ୍ତି । ଗତ ବର୍ଷ କେବଳି କିଛି ହାତ ଗଣତି ରୋଷେୟାଙ୍କୁ ରିଲିଫ ପ୍ୟାକେଟ ଦିଆ ଯାଇଥିବା ବେଳେ ଏ ବର୍ଷ ତାହା ବି ମିଳି ନଥିବା ବଲାଙ୍ଗିର ରୋଷେୟା ସଂଘ କହିଛି । ରୋଷେୟାଙ୍କ ଏଭଳି ସ୍ଥିତିରେ ଅଂଚଳର ସମସ୍ତ ରୋଷେୟା ଓ ସହଯୋଗୀଙ୍କ ଏକ ତାଲିକା କରି ସମସ୍ତଙ୍କୁ ସରକାରୀ ସହାୟତା ଯୋଗଇଦେବା ପାଇଁ ରୋଷେୟା ସଂଘ ଅକୁଳ ନିବେଦନ କରିଛି ।
ସେମାନେ ଯାହା କୁହନ୍ତି –
ବସନ୍ତ ତ୍ରିପାଠୀ, ରୋଷେୟା –
ଲଗାତାର ଦୁଇ ବର୍ଷର ଲକ୍ଡାଉନ୍ ଜୀବିକା ଉଜାଡି ଦେଇଛି । ରୋଷେୟାମାନେ ଘରେ ବସିଛନ୍ତି । ପରିବାର ପୋଷଣ ପାଇଁ ସଂଘର୍ଷ କରୁଛନ୍ତି । ସରକାରୀ ସାହାଯ୍ୟର ଦେଖାନାହିଁ ।
ଗୋକୁଳ ମିଶ୍ର, ରୋଷେୟା –
ଆମଉପରେ ହେଲ୍ପର, କେଟରିଂ ବଏ ମଧ୍ୟ ନିର୍ଭର କରନ୍ତି । ଗାଁ ଗଣ୍ଡାରୁ ଆସୁଥିବା ଏହି ସହଯୋଗୀ ମାନଙ୍କ ଅବସ୍ଥା ଅତ୍ୟନ୍ତ ଦୁଃଖ ଦାୟକ । ଅନେକେ ଧାର କରଜ କରି ସବୁ ସାରି ଦେଲେଣି । କରୋନା ଅପେକ୍ଷା କରୋନା କଟକଣା ଅଧିକ ଘାତକ ସାବ୍ୟସ୍ତ ହୋଇଛି ।
ରମାକାନ୍ତ ମିଶ୍ର, ରୋଷେୟା –
ଗତ ବର୍ଷ କଟକଣା ପରେ ସ୍ଥିତି ସୁଧୁରିବାକୁ ବସିଥିଲା । ଭୋଜିଭାତ ୨୦ ଜଣରୁ ୨୦୦କୁ ପହଞ୍ଚିଥିଲା । ଫଳରେ ଅନ୍ତତଃ ଖାଇବା ମୁଠାକ ବନ୍ଦୋବସ୍ତ ହେଉଯାଉଥିଲା । ସଂକ୍ରମଣ ଓ କଟକଣା ଭୟରେ ଏବେ ତାହା ମଧ୍ୟ ବନ୍ଦ । ରୋଷେୟା ମାନେ ବାଧ୍ୟ ହୋଇ ଅନ୍ୟ ବେଉସା କରୁଛନ୍ତି ।
ସୁମନ୍ତ ଦାଶ, ରୋଷେୟା –
ରୋଷେୟାମାନଙ୍କ ପେଟ ପୋଷା ସହିତ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗିଡିଛି । ଅସଙ୍ଗଠିତ କ୍ଷେତ୍ର ହୋଇଥିବାରୁ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ । ରୋଷେୟା ଓ ସହଯୋଗି ମାନେ ହଇରାଣ ହେଉଛନ୍ତି । ଏବେ ସରକାରୀ ସାହଯ୍ୟକୁ ଭରଷା ।