
ବରଗଡ଼, (ନିରୋଜ କୁମାର ପାଣୀ) : ରୋଗୀଣା ବୃଦ୍ଧା ମା’ଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ଜଙ୍ଗଲରେ ବନ୍ୟ ଜନ୍ତୁଙ୍କ ହାବୁଡ଼ରେ ଛାଡ଼ି ଦେଲେ ପରିବାର ଲୋକେ । ଦୀର୍ଘ ୧୫ ଦିନ ଧରି ବାରପାହାଡ ଜଙ୍ଗଲରେ ୮୦ ବର୍ଷୀୟା ବୃଦ୍ଧା ମା’ ଏକାକୀ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରିଆସୁଥିଲେ । ବରଗଡ ସଂକଳ୍ପ ପରିବାର ନିକଟକୁ ଏହି ଘଟଣାର ଖବର ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ପହଞ୍ଚି ଘଞ୍ଚ ଜଙ୍ଗଲ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପହଞ୍ଚାଇଥିଲେ । ଏପରି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତ ଘନଘାଟି ଗ୍ରାମରେ । ସୂଚନା ଅନୁସାରେ ଅତାବିରା ଥାନା ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତ ଘନଘାଟି ଗ୍ରାମର ୮୦ ବର୍ଷର ବୃଦ୍ଧା କୌଶଲ୍ୟା ବେହେରା ଦୁଇ ପୁଅ ଓ ୩ ଝିଅ ଜନ୍ମ କରିଥିବା ମହିଳା ଆଜି ଅଭାଗା । ଝିଅ ମାନେ ବିବାହ କରିସାରିଥିବା ବେଳେ ବଡ ପୁଅର ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ପରିବାର କହିଲେ କୌଶଲ୍ୟାଙ୍କ ସ୍ଵାମୀ ସହିତ ଘରେ ସାନ ପୁଅ, ବଡବହୁ ଓ ନାତି ନାତୁଣୀ । କିଛି ଦିନ ତଳେ କୌଶଲ୍ୟାଙ୍କ ମୁଣ୍ଡରେ ଘରଛାତ ସହିତ ପୁରା ପରିବାର ରହିଥିଲା ମାତ୍ର ଆଜି କୌଶଲ୍ୟାଙ୍କୁ ଏକାକୀ କରିଦେଇଛି ସେହି ପରିବାର । ବାରପାହାଡ ଜଙ୍ଗଲ ଭିତରେ ଜରିପାଳର ଏକ କୁଡ଼ିଆ କରି ବୃଦ୍ଧାଙ୍କୁ ଏକାକୀ ଛାଡି ଚାଲିଯାଇଛନ୍ତି ପରିବାର ଲୋକେ । ଯେଉଁଠାରେ ବାଘ ଓ ଭାଲୁ ପରି ବନ୍ୟଜନ୍ତୁ ସହିତ ବିଷାକ୍ତ ସାପ ଭରି ରହିଛନ୍ତି । ସୂଚନା ମୁତାବକ କାରଣ ଏହା ଥିଲା ଯେ, ବୃଦ୍ଧା ଜଣଙ୍କର ମୁଣ୍ଡରେ ଘା’ ହୋଇ ପୋକ ହୋଇଯାଇଥିଲେ ଏବଂ ହାତରେ ଧଳା ଦାଗ ଦେଖା ଯାଇଥିଲା ଯାହା ଫଳରେ ଘନଘାଟି ଗ୍ରାମବାସୀ ତଥା କୌଶଲ୍ୟା ବେହେରାଙ୍କ ଜାତି ଓ ସମାଜ ଲୋକେ ବୃଦ୍ଧାଙ୍କୁ ଅନ୍ୟତ୍ର ସ୍ଥାନରେ ରଖିବାକୁ ବାଧ୍ୟ କରିଥିଲେ । ଏପରିକି ଜାତି ଲୋକେ ଏହି ପରିବାରକୁ ଗ୍ରାମରୁ ବାସନ୍ଦ କରିଥିଲେ ଏବଂ ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡିବା ପରେ ଭୋଜି ଭାତର ଆସର କରି ପୁଣି ଜାତି ଲୋକେ ଏହି ପରିବାର ସହିତ ମିଶିଥିଲେ । ଯାହା ଏହି ଗ୍ରାମବାସୀଙ୍କ ହୀନ ମାନସିକତାର ପରିଚୟ ଅଟେ । ରୋଗୀଙ୍କୁ ଚିକିତ୍ସା ପରିବର୍ତ୍ତେ ଜଙ୍ଗଲରେ ଏକୁଟିଆ ବନ୍ୟଜନ୍ତୁଙ୍କ ହାବୁଡରେ ଛାଡିଦେବା ଘଟଣା ମଣିଷ ସମାଜ ପାଇଁ ଏକ କଳଙ୍କ ଅଟେ । ଯେଉଁ ସମାଜରେ ମାନବ ସେବା ହିଁ ମାଧବ ସେବା ବୋଲି ଆଖ୍ୟା ଦିଆଯାଉଛି ସେହି ସମାଜରେ ପୁଣି ଏପରି ଅମାନବିୟ କାମ ଘୋର ନିନ୍ଦନୀୟ ଅଟେ । ଲଗାତାର ଲାଗି ରହିଥିବା ବର୍ଷାରେ ମଧ୍ୟ ବୃଦ୍ଧା ଜଣକ ଜଙ୍ଗଲ ଭିତରେ ଏକାକୀ ୧୫ ଦିନ ଧରି ବିତାଇବା ପରେ ବୋଧେ ଭଗବାନଙ୍କୁ ଦୟା ଆସିଯାଇଥିଲା ଏବଂ କୌଣସି ମତେ ବରଗଡର ସଂକଲ୍ପ ପରିବାର ନିକଟକୁ ଖବର ପହଞ୍ଚିଥିଲା । ତେବେ ସଂକଳ୍ପ ପରିବାର ଏପରି ଏକ ସଂବେଦନଶୀଳ ଘଟଣାର ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ପହଞ୍ଚି ଆମ୍ବୁଲେନ୍ସ ଡକାଇ ଜଙ୍ଗଲ ଭିତରୁ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ଦୀର୍ଘ ୨ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧାଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ଜଙ୍ଗଲରୁ ବୋହିକି ଏମ୍ବୁଲେନ୍ସ ପର୍ଯ୍ୟନ୍ତ ସଂକଳ୍ପ ପରିବାରର ସଦସ୍ୟ ମାନେ ଏବଂ ୧୦୮ ଏମ୍ବୁଲେନ୍ସ କର୍ମଚାରୀ ମାନେ ବୋହିକି ଆଣିଥିଲେ । ପରେ ଘନାମାଳ ଠାରେ ରହୁଥିବା ବୃଦ୍ଧାଙ୍କ ସାନପୁଅ ଧନମାଳି ବେହେରାଙ୍କ ପରିବାର ଲୋକଙ୍କୁ ଯାଇ ବୃଦ୍ଧାଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ସାଙ୍ଗରେ ଯିବାକୁ ବୁଝାଇଥିଲେ ମାତ୍ର ତାଙ୍କ ପରିବାରରେ ବଡ ବୋହୁ କିମ୍ବା ନାତୁଣୀ କେହି ମଧ୍ୟ ସାଙ୍ଗରେ ଯିବାକୁ ରାଜି ହୋଇନଥିଲେ । ଶେଷରେ କୌଶଲ୍ୟାଙ୍କ ସାନପୁଅ ଆମ୍ବୁଲେନ୍ସ ସଙ୍ଗେ ଖେଦାପାଳି ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ତେବେ ଖବର ପାଇବା ମାତ୍ରେ କାଳ ବିଳମ୍ବ ନକରି ଠିକ ସମୟରେ ସଂକଳ୍ପ ପରିବାର ଘଞ୍ଚ ଜଙ୍ଗଲ ଭିତରୁ ବୃଦ୍ଧାଙ୍କୁ କଷ୍ଟଦାୟକ ମୃତ୍ୟୁ ମୁଖରୁ ଉଦ୍ଧାର କରି ୮୦ ବର୍ଷ ବୟସରେ ବୃଦ୍ଧାଙ୍କୁ ନୂତନ ଜୀବନ ପ୍ରଦାନ କରି ପାରିଥିବାରୁ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ରୋହିତ ଜସ୍ୱାଲ, ନିଧାନ ଦନ୍ତା, ଜି. ରମେଶ, ଅସିତ ଭୋଇ ଓ ହରିସ ନାଏକ ଯୋଗଦାନ କରି ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ ।
