
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୁରୀ-ତିରୁପତି ଏବଂ ହିରାଖଣ୍ଡ ଦୃତଗାମୀ ଟ୍ରେନ ରହଣି ଦାବୀ ନେଇ ଗଞ୍ଜାମ ରେଳଷ୍ଟେସନରେ ମଙ୍ଗଳବାର ଗଞ୍ଜାମ ଅଞ୍ଚଳବାସୀଙ୍କ ପକ୍ଷରୁ ରେଳରୋକ କରାଯାଇଥିଲା । ଭୋର ସମୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ହିରାଖଣ୍ଡ ଏକ୍ସପ୍ରେସ୍ ଟ୍ରେନକୁ ଶତାଧିକ ଅଞ୍ଚଳବାସୀ ରେଳଷ୍ଟେସନରେ ପହଞ୍ଚି ଅଟକାଇ ଥିଲେ । ଉକ୍ତ ସମୟରେ ଖୋର୍ଦ୍ଧା ଡିଭିଜନ ରେଳ ବିଭାଗୀୟ ଅଧିକାରୀ ବ୍ରହ୍ମପୁର ରେଳ ସୁରକ୍ଷା ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ଲୋକଙ୍କୁ ବୁଝାଇ ଷ୍ଟେସନରେ ଉକ୍ତ ଦୃତଗାମୀ ଟ୍ରେନ ଦ୍ୱୟର ରହଣି ନେଇ ପ୍ରତିଶୃତି ଦେବା ପରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା । ଆଗାମୀ ଜୁନ ମାସ ପ୍ରଥମ ସପ୍ତାହରେ ଉଭୟ ଟ୍ରେନ ଗଞ୍ଜାମ ରେଳ ଷ୍ଟେସନରେ ରହଣି ନେଇ ଲିଖିତ ପ୍ରତିଶୃତି ଦିଆଯାଇଥିଲା । ସୂଚନା ଥାଉକି ପୂର୍ବରୁ ଗଞ୍ଜାମ ରେଳ ଷ୍ଟେସନରେ ଉଭୟ ଦୃତଗାମୀ ଟ୍ରେନ ରହଣି ଦାବୀ ନେଇ ଏକ ଦାବୀପତ୍ର ଖୋର୍ଦ୍ଧା ଡିଆର୍ଏମ୍ଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ଖୋର୍ଦ୍ଧା ରେଳ ବିଭାଗୀୟ ଅଧିକାରୀ ଡିଭିଜିନାଲ କମର୍ସିଆଲ ମ୍ୟାନେଜର ଗିରିଷ ଚନ୍ଦ୍ର ନାୟକ, ବ୍ରହ୍ମପୁର ଜିଆର୍ପି ଅଧିକାରୀ ଏସ୍ଡିଆର୍ପିଓ ଚନ୍ଦ୍ର ଶେଖର ସାହୁ, ଜିଆର୍ପି ଅଧିକାରୀ ଜ୍ୟୋତିରଞ୍ଜନ ନାୟକ, ଆର୍ପିଏଫ୍ ଅଧିକାରୀ ଡିସି ନାୟକ, ବ୍ରହ୍ମପୁର ରେଳବିଭାଗୀୟ ସିସିଆଇ ମୋହନଚନ୍ଦ୍ର ବେହେରା, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଗଞ୍ଜାମ ଥାନା ଏସ୍ଆଇ ଅଜିତ କୁମାର ପରିଡା ପ୍ରମୁଖ ରେଳ ବିଭାଗୀୟ ଓ ପୋଲିସ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଉଭୟ ଟ୍ରେନ ରହଣି ନେଇ ପ୍ରତିଶୃତି ଦେଇଥିଲେ । ଗଞ୍ଜାମ ଏନ୍ଏସି ଏବଂ ବିଭିନ୍ନ ପଞ୍ଚାୟତ ଅଞ୍ଚଳରୁ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭାଗିରଥି ରେଡି, ପୂର୍ବତନ କାଇଁଚପୁର ସରପଞ୍ଚ ସନ୍ତୋଷ ରେଡି, ୧୫ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ପୌରାଞ୍ଚଳ ବରିଷ୍ଟ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ରଙ୍କନିଧି ବେହେରା, ଭଗବାନ ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।