
ଭୁବନେଶ୍ୱର, (କେପିଏନ୍ଏସ୍) : ପୂର୍ବତଟ ରେଳପଥ ପକ୍ଷରୁ ନିକଟରେ ସତର୍କତା ସଚେତନତା ସପ୍ତାହ-୨୦୨୨ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବତଟ ରେଳପଥ ମୁଖ୍ୟାଳୟ, ଭୁବନେଶ୍ୱରଠାରେ ଏକ ପୁରସ୍କାର ବିତରଣ ସମାରୋହର ଆୟୋଜନ କରାଯାଇଥିଲା । ସତର୍କତା ସଚେତନତା ସପ୍ତାହ-୨୨ ଉପଲକ୍ଷେ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ଅବସରରେ ପୂର୍ବତଟ ରେଳପଥ ଚିଫ୍ ମେକାନିକାଲ ଇଞ୍ଜିନିୟର ତଥା କାର୍ଯ୍ୟକାରୀ ଅତିରିକ୍ତ ମହାପ୍ରବନ୍ଧକ ଆର୍. ରାଜା ଗୋପାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ସହ ରେଳ କର୍ମଚାରୀଙ୍କ ପିଲାଙ୍କୁ ମିଶାଇ ମୋଟ ୬୦ ଜଣ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ସମାରୋହରେ ପୂର୍ବତଟ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ, ରେଳ କର୍ମଚାରୀ, ସ୍କୁଲ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପିତାମାତା ଓ ଶିକ୍ଷକମାନେ ଯୋଗ ଦେଇଥିଲେ । ପୂର୍ବତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପମହାପ୍ରବନ୍ଧକ ସଞ୍ଜୟ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।