jayashree

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ : ରେଡକ୍ରସକୁ ଆହୁରି କ୍ରିୟାଶୀଳ କରିବାକୁ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ବଲାଙ୍ଗିର ଶାଖା ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳନ ଉପଲକ୍ଷେ ଭୀମଭୋଇ ମେଡିକାଲ କଲେଜ୍‌ ଓ ହସପିଟାଲ୍‌ ସ୍ଥିତ ରକ୍ତ ଭଣ୍ଡାରଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଉଦ୍‌ଘାଟନ କରିଥିଲେ । ରକ୍ତଦାନ ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ରକ୍ତଦାତାମାନେ ଆସି ରକ୍ତଦାନ କରିଥିଲେ । ପରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳନ ଉପଲକ୍ଷେ ଭୀମଭୋଇ ମେଡିକାଲ କଲେଜ୍‌ ଓ ହସ୍ପିଟାଲ ସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସର ପ୍ରତିଷ୍ଠାତା ଜନ୍‌ ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସଚେତନତା ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟ ଅତିଥି ଶ୍ରୀ ଲାଗୁରୀ ରେଡକ୍ରସ ମାନବର ସେବା ପାଇଁ ଉତ୍ସର୍ଗୀକୃତ, ରେଡକ୍ରସ ସ୍ୱେଚ୍ଛାସେବୀମାନେ ମହାମାରୀ, ଦୈବୀ ଦୁର୍ବିପାକ, ଦୁର୍ଘଟଣା ଇତ୍ୟାଦି ସମୟରେ ସ୍ୱେଚ୍ଛାକୃତ ଭାବେ ମାନବ ସେବାରେ ନିଜକୁ ନିସ୍ୱାର୍ଥପର ଭାବେ ନିୟୋଜିତ କରିଥାନ୍ତି । ଜିଲ୍ଲାରେ ୟୁଥ୍‌ ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କୁ ପ୍ରାଥମିକ ଚିକିିତ୍ସା, ବିପର୍ଯ୍ୟୟ ପରିଚାଳନା ଆଦି ସମ୍ପର୍କରେ ତାଲିମ ପ୍ରଦାନ ସହ ରେଡକ୍ରସକୁ ଆହୁରୀ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ବିବିଏମ୍‌ସିଏଚ୍‌ର ମେଡିକାଲ ଅଧ୍ୟକ୍ଷ ଡ. ମହେନ୍ଦ୍ର କୁମାର ନାୟକ, ଭାରପ୍ରାପ୍ତ ସିଡିଏମ୍‌ଓ ଡ. କୁବେର ଚନ୍ଦ୍ର ମାହନ୍ତ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ରେଡକ୍ରସ ଦିବସ ପାଳନର ତାପ୍ତର୍ଯ୍ୟ ଏବଂ ଚଳିତ ବର୍ଷର ବାର୍ତ୍ତା ‘ବିଙ୍ଗ ହ୍ୟୁମେନ କାଇଣ୍ଡ’ ବା ମାନବ ପ୍ରତି ଦୟା ପ୍ରଦର୍ଶନ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ସଭାରେ ଜିଲ୍ଲା ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟ ବିଷ୍ଣୁ ପ୍ରସାଦ କେରୀୟା, ୟୁଥ୍‌ ରେଡକ୍ରସ ସଂଯୋଜକ ଡ. ଦୈତାରୀ ପୁଝାରୀ, ରେଡକ୍ରସ୍‌ ସ୍ୱେଚ୍ଛାସେବୀ ରାମ ନାରାୟଣ ଦାସ, ଦିଗାମ୍ବର ନାୟକ, ଶିବ ପ୍ରସାଦ ବିଶ୍ୱାଲ, ସୁମନ କାନୁନ୍‌ ଗା, ଘନ ଶ୍ୟାମ ମେହେର, ଗୋପବନ୍ଧୁ ପଟେଲ, ପାଟଣାଗଡ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକରୀ ନବକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହି ରେଡକ୍ରସ ଦିବସର ତାପ୍ତର୍ଯ୍ୟ ତଥା ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କ ଭୂମିକା ସମ୍ପର୍କରେ ମତାମତ ଉପସ୍ଥାପନା କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଭାରତୀୟ ରେଡକ୍ରସ ସୋସାଇଟି ବଲାଙ୍ଗିର ଶାଖାର ଅବୈତନିକ ସଂପାଦକ ରୀନା କୁମାରୀ ନାୟକ ରେଡକ୍ରସ ଦିବସ ପାଳନର ତାପ୍ତର୍ଯ୍ୟ ହେନେରୀ ଡୁନାଣ୍ଟଙ୍କ ସେବା ଓ ତ୍ୟାଗ ସଂପର୍କରେ ଆଲୋକପାତ କରିବା ସହ ବଲାଙ୍ଗିର ଜିଲ୍ଲାରେ ରେଡକ୍ରସ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ସହାୟତା ସଂପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ୨୦୨୧-୨୨ ଆର୍ଥିକ ବର୍ଷରେ ରେଡକ୍ରସ ପାଣ୍ଠି ବୃଦ୍ଧି ଓ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଉପଜିଲ୍ଲାପାଳ ବଲାଙ୍ଗିର ଲମ୍ବୋଧର ଧରୁଆ, ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ପାଟଣାଗଡ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଅବକାରୀ ଅଧିକ୍ଷକ ନାରାୟଣ ମେହେର, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଜୟନ୍ତ ପ୍ରସାଦ ନାୟକ ଏବଂ ବଲାଙ୍ଗିର ବିଡିଓ ପ୍ରୀତମ କୁମାର ତନ୍ତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ । ସଭାରେ ରକ୍ତଦାତାମାନଙ୍କୁ ମଧ୍ୟ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀମତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ତହସିଲଦାର, ବିଡିଓ, ଜିଲ୍ଲାସ୍ତରୀୟ ଅଧିକାରୀ, ରେଡକ୍ରସ ସ୍ୱେଚ୍ଛାସେବୀ ଓ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.