jayashree

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ : ରାଜ୍ୟ ସୂଚନା କମିଶନଙ୍କ ଉଲ୍ଲେଖନୀୟ ରାୟ, ତଥ୍ୟ ନଦେବାରୁ ପୁରୀ ଶ୍ରୀମନ୍ଦିର ପୂର୍ବ ଜନ ସୂଚନା ଅଧିକାରୀଙ୍କୁ ଅର୍ଥ ଦଣ୍ଡ

ବଲାଙ୍ଗିର, (କେପିଏନ୍‌ଏ୍‌) : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପୂର୍ବ ଜନ ସୂଚନା ଅଧିକାରୀ ଏସ୍‌.କେ ଚାଟର୍ଜି ରତ୍ନଭଣ୍ଡାର ଚାବି ଓ ମନ୍ଦିର ପରିଚାଳନା ସମ୍ପର୍କିୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ବଲାଙ୍ଗିରର ବିଶିଷ୍ଟ ସୂଚନା କର୍ମୀ ହେମନ୍ତ ପଣ୍ଡାଙ୍କୁ ପ୍ରଦାନ ନକରିବାରୁ ରାଜ୍ୟ ସୂଚନା କମିଶନ ସଞୟ କେଶରୀ ସ୍ୱାଇଁ ଏକ ଉଲ୍ଲେଖନୀୟ ରାୟରେ ୨୫୦୦୦ ଟଙ୍କା ଅର୍ଥରାଶି ଶାସ୍ତି ବିଧାନ କରିଛନ୍ତି । ସୂଚନା ଅଧିକାର ଆଇନ ଅନୁପାଳନ କରାଯାଇ ନଥିବା କାରଣରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଜଣେ ଜନସୂଚନା ଅଧିକାରୀଙ୍କୁ ଆଇନାନୁମୋଦିତ ଭାବେ ସର୍ବାଧିକ ଅର୍ଥଦଣ୍ଡରେ ଦଣ୍ଡିତ କରିବା ସର୍ବ ପ୍ରଥମ ଘଟଣା ବୋଲି ସୂଚନା କର୍ମୀ ପଣ୍ଡା ବଲାଙ୍ଗିର ଯାଦବ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସୂଚନା କମିଶନଙ୍କ ଏଭଳି ଉଦାହରଣୀୟ ରାୟକୁ ସୂଚନା କର୍ମୀ ପଣ୍ଡା ପ୍ରଶଂସା କରିବା ସହ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତ ମନ୍ଦିର ପରିଚାଳନା ସମ୍ପର୍କିତ ଦୈନନ୍ଦିନ ଘଟଣା ପ୍ରବାହକୁ ଜାଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ତେଣୁ ବିଶାଳ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ ଶ୍ରୀମନ୍ଦିର ପରିଚାଳନା ସମ୍ପର୍କିୟ ପ୍ରଦାନ ଯୋଗ୍ୟ ସମସ୍ତ ସୂଚନାକୁ ସାର୍ବଜନୀନ କରିବା ଆବଶ୍ୟକତା ରହିଛି । ସୂଚନା କର୍ମୀ ଶ୍ରୀ ପଣ୍ଡା ୨୦୧୮ ମସିହା ଜୁନ ୧୧ରେ ପୁରୀ ରତ୍ନଭଣ୍ଡାର ଚାବି ସମେତ ୧୩ ସୂତ୍ରୀ ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଜନ ସୂଚନା ଅଧିକାରୀଙ୍କୁ ମାଗିଥିଲେ । କିନ୍ତୁ ଶ୍ରୀମନ୍ଦିର ତତ୍କାଳୀନ ଜନସୂଚନା ଅଧିକରୀ ଗୋଟିଏ ଆବେଦନ ପତ୍ରରେ ଏତେ ଗୁଡିଏ ତଥ୍ୟ ଦିଆଯାଇ ପାରିବ ନାହିଁ ବୋଲି ଆବେଦନକାରୀ ପଣ୍ଡାଙ୍କୁ ଜଣାଇଥିଲେ । ଜନ ସୂଚନା ଅଧିକାରୀଙ୍କ ଏଭଳି ଚଞ୍ଚକତାପୂର୍ଣ୍ଣ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ପଣ୍ଡା ପ୍ରଥମ ଅପିଲ ଅଧିକାରୀଙ୍କୁ ଆବେଦନ କରିଥିଲେ । ପଣ୍ଡାଙ୍କ ଯୁକ୍ତି ଥିଲା ଯେ, ୧୩ ସୂତ୍ରୀ ତଥ୍ୟ ସେ ମାଗିଥିଲେ ମଧ୍ୟ ସବୁଯାକ ଗୋଟିଏ ବିଷୟବସ୍ତୁ ଉପରେ ଆଧାରିତ । ତେଣୁ ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ କରିବାରେ କୌଣସି ବାଧା ନାହିଁ । ଏସବୁକୁ ବିଚାର କରି ସୂଚନା କମିଶନ ଶ୍ରୀ ସ୍ୱାଇଁ ସୂଚନା ଆଇନର ୨୦(୧) ଧାରା ଅନୁଯାୟୀ ଦଣ୍ଡ ବିଧାନ କରିବା ସଙ୍ଗେ ତାଙ୍କ ରାୟରେ କହିଛନ୍ତି ଯେ, ଆବେଦନକାରୀ ପଣ୍ଡାଙ୍କୁ ଗୋଟିଏ ଫର୍ମରେ ଗୋଟିଏ ତଥ୍ୟ ମାଗିବାକୁ କହି ଶ୍ରୀମନ୍ଦିର ପୂର୍ବ ଜନ ସୂଚନା ଅଧିକାରୀ ତାଙ୍କ କର୍ତ୍ତବ୍ୟ ତୁଲାଇବାରେ ବିଫଳ ହୋଇଛନ୍ତି ଏବଂ ସୂଚନା ଅଧିକାର ଆଇନକୁ ଅସମ୍ମାନ କରିଛନ୍ତି । ଏହା ସହ ଆବେଦନକାରୀ ପଣ୍ଡାଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ବର୍ତ୍ତମାନର ଜନ ସୂଚନା ଅଧିକାରୀଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଭିତର ରତ୍ନ ଭଣ୍ଡାର ଚାବି ମିଳୁ ନଥିବା କଥା ୨୦୧୮ ମସିହାରେ ପୁରୀ ଜିଲ୍ଲା ପ୍ରଶାସନ କହିବା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା । ଏପରିକି ଏହି ସମ୍ବେଦନଶୀଳ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ତଦନ୍ତ କମିଶନ ଜଷ୍ଟିସ ରଘୁବୀର ଦାସଙ୍କ ନେତୃତ୍ୱରେ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ନକଲି ଚାବି ମିଳିଥିବା କୁହାଯାଇଥିଲା ହେଲେ ନକଲି ଚାବି କିଏ କାହିଁକି ତିଆରି କରିଥିଲେ ତାହା କେହି କହି ପାରିଲେ ନାହିଁ । ଏସବୁର ସତ୍ୟାସତ୍ୟ ଜାଣିବା ପାଇଁ ସୂଚନା କର୍ମୀ ପଣ୍ଡା ସୂଚନା ଅଧିକାର ଆଇନର ପ୍ରୟୋଗ କରିଥିଲେ ଏବଂ ୨୦୧୮ ମସିହାରେ ରତ୍ନ ଭଣ୍ଡାର ଚାବି ସମେତ ନବ କଳେବର ଅନିୟମିତତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଠାରୁ ତଥ୍ୟ ମାଗିଥିଲେ । କିନ୍ତୁ ପଣ୍ଡାଙ୍କୁ କୌଣସି ତଥ୍ୟ ପ୍ରଦାନ କରାଗଲା ନାହିଁ । ଶେଷରେ ସୂଚନା କମିଶନ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଆବେଗକୁ ସମ୍ମାନ ପ୍ରଦର୍ଶନ କରି ରତ୍ନ ଭଣ୍ଡାର ଚାବି ସମ୍ପର୍କିତ ସବିଶେଷ ତଥ୍ୟ ସାର୍ବଜନୀନ କରିବା ପାଇଁ ପଣ୍ଡା ଏକ ସମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି ।

Leave A Reply

Your email address will not be published.