jayashree

ରାମଚନ୍ଦ୍ରପୁର ଗ୍ରାମରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ସମାପନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଉତ୍ସାହ ଉଦ୍ଦୀପନା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏ ବର୍ଷର ରଥଯାତ୍ରା ସମାପନ ହୋଇଛି । ପୁରୀ ରଥଯାତ୍ରା ଆଷାଢ ଶୁକ୍ଳ ଦ୍ଵିତୀୟା ଦିନ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ରଥଯାତ୍ରା ଆଷାଢ ଶୁକ୍ଳ ଚତୁର୍ଥୀ ଦିନ ଅନୁଷ୍ଠିତ ହୋଇଥାଏ । ଫଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ । ତେବେ କୋଭିଡ କଟକଣା ଯୋଗୁଁ ବିଗତ ଦୁଇ ବର୍ଷ ହେବ ରଥଯାତ୍ରା ଅନୁଷ୍ଠିତ ହେଇପାରୁ ନ ଥିଲା । କିନ୍ତୁ ଏ ବର୍ଷ ରଥଯାତ୍ରାକୁ ଅନୁମତି ମିଳିବା ପରେ ଭକ୍ତ ମହଲରେ ଉତ୍ସାହ ବୃଦ୍ଧି ପାଇଥିଲା ଓ ରଥଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିଲା । ସହସ୍ରାଧିକ ଭକ୍ତ ରଥଯାତ୍ରାରେ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିଲେ । ପ୍ରଥମେ ମହାପ୍ରଭୁଙ୍କ ଭୋଗରାଗ ଓ ପୂଜାର୍ଚ୍ଚନା କରାଯାଇଥିଲା । ତାପରେ ଛେରା ପହରା କରାଯିବା ପରେ ପ୍ରଭୁଙ୍କୁ ରଥ ପର୍ଯ୍ୟନ୍ତ ଶୋଭାଯାତ୍ରା କରି ନିଆଯାଇଥିଲା ଓ ତାପରେ ପ୍ରଭୁଙ୍କୁ ରଥରେ ବିରାଜମାନ କରାଯାଇଥିଲା । ତାପରେ ରଥ ଟଣା ଅନୁଷ୍ଠିତ ହୋଇଥିଲା । ଶତାଧିକ ଭକ୍ତ ରଥ ଟାଣି ପ୍ରଭୁଙ୍କ କୃପା ଲାଭ କରିଥିଲେ । ରଥରେ ବିରାଜମାନ କରିବା ପରେ ରଥ ଟଣାଯାଇ ପ୍ରଭୁ ଜଗନ୍ନାଥଙ୍କୁ ମାଉସୀ ମନ୍ଦିରକୁ ନିଆ ଯାଇଥିଲା । ପ୍ରଭୁଙ୍କୁ ମାଉସୀ ମନ୍ଦିରକୁ ନେବା ସମୟରେ ଶୋଭାଯାତ୍ରାରେ ରାମଚନ୍ଦ୍ରପୁର ଗାଁ ଦାଣ୍ଡ ସଂକୀର୍ତ୍ତନର ପ୍ରତିଧ୍ୱନୀରେ ପ୍ରକମ୍ପିତ ହେଇ ଉଠିଥିଲା । ପ୍ରଭୁ ୮ ଦିନ ପର୍ଯ୍ୟନ୍ତ ମାଉସୀ ମନ୍ଦିରରେ ରହିବେ । ଏହି ୮ ଦିନରେ ପ୍ରଭୁ ଜଗନ୍ନାଥଙ୍କୁ ଭଗବାନ ବିଷ୍ଣୁଙ୍କ ଦଶାବତାର ବେଶରେ ଦେଖିବାକୁ ମିଳିବ ଓ ସେଠାରେ ସେ ପୋଡ଼ ପିଠା ସେବନ କରିବେ ଓ ୮ ଦିନ ପରେ ପୁନଶ୍ଚ ଜଗନ୍ନାଥ ମନ୍ଦିରଙ୍କୁ ପ୍ରତ୍ୟାବର୍ତ୍ତନ କରିବେ । ରଥଯାତ୍ରାରେ ପୂଜକ ଭାବରେ ଗୋପାଳ ନନ୍ଦ ଓ କର୍ତ୍ତା ଭାବରେ ସନ୍ତୋଷ ପଟେଲ କାର୍ଯ୍ୟ ନିର୍ବାହ କରିଥିଲେ । ଏହା ବ୍ୟତୀତ ଜୀବନାନନ୍ଦ ବାଗ, ନନ୍ଦରାଜ ନନ୍ଦ ଓ ଜୟପ୍ରକାଶ ପଟେଲ ବିଭିନ୍ନ ରୀତିନୀତିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.