ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ମହାସଂଘର ରାଷ୍ଟ୍ରୀୟ ଅଧିବେଶନ

  • ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ୨୦୦ ସମ୍ପାଦକ ଯୋଗଦେବେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଅଧିବେଶନ ପାଇଁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ଅଧିବେଶନ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ଅନୁଷ୍ଠିତ ହେବ । ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ପ୍ରକାଶ ପାଇ ଆସୁଥିବା ୨୦୦ ସମ୍ବାଦପତ୍ରର ସମ୍ପାଦକ ଯୋଗଦେବେ । ଅଧିବେଶନ ଅବସରରେ ଏକ ଆକର୍ଷଣୀୟ ରଙ୍ଗିନ ସ୍ମରଣିକା ପ୍ରକାଶ ପାଇବ । ଏଠାରେ ଉଲ୍ଲେଖ କରାଯାଇପାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂତନ ବିଜ୍ଞାପନ ନୀତି ଯୋଗୁଁ କ୍ରମାଗତ ଭାବେ ଭାରତ ବର୍ଷ ତଥା ବିଭିନ୍ନ ରାଜ୍ୟରେ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । କରୋନା ମହାମାରୀ ଯୋଗୁ ପ୍ରୋତ୍ସାହନ ଅଭାବରୁ ଗତ ଦୁଇବର୍ଷରେ ଶହ ଶହ ସମ୍ବାଦପତ୍ର ବନ୍ଦ ହୋଇଗଲାଣି । ଓଡ଼ିଶା ସରକାର ବୃହତ ସମ୍ବାଦପତ୍ର ବୋଲାଉଥିବା ତଥା ଏବିସିର ପ୍ରସାର ଦେଖାଇ କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କ ଠାରୁ ବିଜ୍ଞାପନ ବାବଦରେ ପାଉଥିବା ବେଳେ ରାଜ୍ୟ ସରକାର କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକୁ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ଓଡ଼ିଶା ସରକାର ପୂର୍ବରୁ ବିଭିନ୍ନ ଜାତୀୟ ଦିବସ, ପୂଜାପର୍ବରେ ୫୦୦ ସ୍କ୍ୱାୟାର ସିଏମ୍‌ କଲର ବିଜ୍ଞାପନ ପ୍ରଦାନ କରୁଥିଲେ । ବର୍ତ୍ତମାନ ତାହା ବନ୍ଦ କରି ଦେଇଛନ୍ତି ଏବଂ ପୂର୍ବରୁ ଦିଆଯାଉଥିବା ନିର୍ଦ୍ଧାରିତ ଦର ଠାରୁ ହ୍ରାସ କରି ଦିଆଗଲା । ଫଳରେ ଖବରକାଗଜ ଗୁଡ଼ିକ ଢୋକେ ପିଇ ଦଣ୍ଡେ ଜିଇଁ ଅବସ୍ଥାରେ ରହିଛନ୍ତି । ସରକାର ବିଭିନ୍ନ ବର୍ଗର ଲୋକଙ୍କ ସହାୟତା ପାଇଁ ବହୁ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତି ଅବହେଳା ପ୍ରଦର୍ଶନ କରିବା ପରିତାପର ବିଷୟ । ଅନ୍ୟପଟେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ସୁରକ୍ଷିତ ନୁହନ୍ତି । ପ୍ରତିଦିନ କେଉଁଠି ନା କେଉଁଠି ପ୍ରଭାବଶାଳୀ ଲୋକ ଓ ସରକାରୀ ପଦାଧିକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ଆସୁଛନ୍ତି । ସତ୍ୟ ଖବର ପ୍ରକାଶ କରି ସାମ୍ବାଦିକମାନେ ସରକାରୀ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି । ସାମ୍ବାଦିକମାନଙ୍କ ସଂଗଠନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସବୁଠୁ ଆଶ୍ଚର୍ୟ୍ୟର କଥା ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହୁଥିବା ବେଳେ ଦୀର୍ଘ ୨ ବର୍ଷରୁ ଅଧିକ ଦିନ ଧରି ସାମ୍ବାଦିକମାନଙ୍କୁ ରାଜ୍ୟ ସଚିବାଳୟକୁ ଯିବାକୁ ଅନୁମତି ଦିଆଯାଉନାହିଁ । ଏ ସମ୍ପର୍କରେ ମଧ୍ୟ ରାଜ୍ୟରେ ପ୍ରକାଶ ପାଉଥିବା ବୃହତ୍‌ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମମାନେ ମଧ୍ୟ ପ୍ରତିବାଦ କରିନାହାନ୍ତି । ଏସବୁ ଦୃଷ୍ଟିକୋଣରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ଓ ପ୍ରକାଶକମାନଙ୍କୁ ନେଇ ଏକ ଶକ୍ତିଶାଳୀ ମଞ୍ଚ ଗଠନ ସହ ଏହାର ଦୃଢ଼ ପ୍ରତିବାଦ କରାଯିବାର ଆବଶ୍ୟକତା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଧାରାବାହିକ ଭାବେ ପ୍ରକାଶ ପାଉଥିବା ସମ୍ବାଦପତ୍ର ଗୁଡ଼ିକୁ ସରକାରୀ ଅନୁମୋଦନ ପ୍ରଦାନ, କେନ୍ଦ୍ର ସରକାରଙ୍କ ଡିଏଭିପି ଅନୁମୋଦିତ ସମ୍ବାଦପତ୍ର ଗୁଡ଼ିକ ପାଇଁ ଜାରି ବିଜ୍ଞାପନ ଦର ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ରାଜ୍ୟସ୍ତରୀୟ ସାମ୍ବାଦିକ ମାନଙ୍କୁ ସରକାରୀ କ୍ୱାଟର ଭୁବନେଶ୍ୱରରେ ଯୋଗାଇବା, ଦିଲ୍ଲୀରେ ଥିବା ଇଣ୍ଡିଆନ ନ୍ୟୁଜ୍‌ପେପର ସୋସାଇଟି ଭଳି ଓଡ଼ିଶାରେ ଏକ ଭବନ ନିର୍ମାଣ କରି ସମ୍ବାଦପତ୍ରର କାର୍ଯ୍ୟାଳୟ ପାଇଁ କୋଠରୀ ପ୍ରଦାନ କରିବା, କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ଓଡ଼ିଶାରେ ସାମ୍ବାଦିକ ପେନ୍‌ସନ୍‌ ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ସମ୍ପର୍କରେ ବ୍ୟାପକ ବିଚାର ବିମର୍ଶ କରାଯିବ ଏବଂ ଏହି ଅବସରରେ କେନ୍ଦ୍ର ଓ ରାଜ୍ୟର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଏ ସମ୍ପର୍କରେ ମହାସଂଘ ସଭାପତି ରବି ରଥ ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.