
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଓ କୋକସରା ବ୍ଲକକୁ ସଂଯୋଗ କରୁଥିବା ବାନେର ଲଡୁ ଗାଁ ମୁଖ୍ୟ ରାସ୍ତା ବର୍ଷ ବର୍ଷ ଧରି ଅବହେଳିତ ଭାବରେ ପଡ଼ି ରହିଥିବାରୁ ଯାତାୟାତରେ ଅନେକ ଅସୁବିଧା ସୃଷ୍ଟି ହେଉଥିଲେ ମଧ୍ୟ ତାହାର ନିରାକରଣ ବ୍ୟବସ୍ଥା ହେଉ ନଥିବା ହେତୁ ଉତ୍ୟକ୍ତ ଜନତାଙ୍କୁ ଶେଷରେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ପଡିଛି । ଏହି ରାସ୍ତା ରୋକ ଆନ୍ଦୋଳନରେ ଜୟପାଟଣା ବ୍ଲକର ଛଅଟି ପଞ୍ଚାୟତ ସହ କୋକସରା ବ୍ଲକର ପ୍ରଭାବିତ ଅଞ୍ଚଳ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁଥିବା ସୂଚନା ମିଳିଛି । ସ୍ଵାଧୀନତା ପରବର୍ତ୍ତୀ ସମୟରୁ ବାନେର ଲଡୁ ଗାଁ ଚଉଦ କିଲୋ ମିଟର ସଡକ ଏବେ ମରଣ ଜନ୍ତା ପାଲଟି ଥିବା ବେଳେ ଲୋକଙ୍କ ବାରମ୍ବାର ଅଭିଯୋଗ ଓ ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ରତିକ୍ରିୟା ସତ୍ତ୍ବେ କେହି କର୍ଣ୍ଣପାତ କରି ନଥିବା ହେତୁ ଲୋକଙ୍କ ମଧ୍ୟରେ କ୍ଷୋଭ ବଢ଼ି ଚାଲିଛି । ଏହି ରାସ୍ତା ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଷାରି ଓ ଧର୍ମଗଡ ବିଧାୟକ ମୌଶଧି ବାଗଙ୍କ ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରିବା ସହ ଏନ୍ଏଚ୍ ସଂଯୋଗ କରୁଥିବାରୁ ଏହି ରାସ୍ତା ଲୋକଙ୍କ ଦ୍ୱାରା ସର୍ବାଧିକ ବ୍ୟବହୃତ ହୋଇଥାଏ । ଏକ ସମ୍ବେଦନଶୀଳ ସଡ଼କ ହୋଇଥିବା ସତ୍ତ୍ଵେ ସଡ଼କ କାମ କରିବା ପରିବର୍ତ୍ତେ ପୂର୍ତ୍ତ ବିଭାଗ ସମସ୍ୟାର ସ୍ଥାୟୀ ସମାଧାନ ନକରି ବର୍ଷ ବର୍ଷ ଧରି ଧର୍ମକୁ ଆଖି ଠାର ନୀତିରେ ଠିକାଦାର ପୋଷା ଚାଲିଥିବା ଲୋକେ ଅଭିଯୋଗ କରୁଛନ୍ତି । ସୂଚନାରୁ ପ୍ରକାଶ ଯେ, ଗତବର୍ଷ ଏହି ସଡ଼କ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ଚଉଦ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରିଥିଲା । ସେହି ଟେଣ୍ଡରକୁ ସାକ୍ଷ୍ୟ ଦେବା ପାଇଁ ଲାଞ୍ଜିଗଡ ବିଧାୟକ ଗତବର୍ଷ ତରବରିଆ ସ୍ଥିରେ ଭୂମି ପୂଜନ ମଧ୍ୟ ସାରିଥିଲେ । ଏଥି ମଧ୍ୟରେ ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ନ ହୋଇ ସେମିତି ପଡ଼ିରହିଥିବା ଲୋକେ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଏହି ସଡ଼କ ପାଇଁ କେହି ଜଣେ ଠିକାଦାର ମାନ୍ୟବର ହାଇକୋର୍ଟଙ୍କଠାରେ ଅଭିଯୋଗ କରିଥିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ବୋଲି ପ୍ରକାଶ କରିଥିଲେ । ଆଜି ବନ୍ଦ ପାଳନ ଚାଲିଥିବା ବେଳେ ଜୟପାଟଣା ବ୍ଲକର ବାନେର ସମେତ ଭାଇଁରିପାଲି, ରେଙ୍ଗଲପାଲି, ଉଛୁଳା, ବଡ଼ପୁଝାରୀଗୁଡା ପଞ୍ଚାୟତର ଶହ ଶହ ଜନତା ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡିଛି । ଏତଦ୍ ବ୍ୟତୀତ ସଂପୃକ୍ତ ଅଞ୍ଚଳର ସରପଞ୍ଚ ତଥା ପୂର୍ବ ଅଧ୍ୟକ୍ଷମାନେ ମଧ୍ୟ ସମର୍ଥନ କରିଥିବା ବେଳେ କଳାହାଣ୍ଡି ସେନା ଓ ଆଦିବାସୀ ସଂଘ ମଧ୍ୟ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।