ନିଜ ପାଇଁ ରାସ୍ତା ନିର୍ମାଣ କଲେ ଆଦିବାସୀ ମହିଳା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଗ୍ରା.ପ. ଅଧୀନସ୍ଥ ମଧୁପୁର ଗ୍ରାମର ଧରୁଆପଡା ଏକ ଆଦିବାସୀପଡା । ଏହି ପଡାରେ ୧୫ ଗୋଟି ଆଦିବାସୀ ପରିବାର ଆଜିକୁ ଦୀର୍ଘ ୧୫୦ବର୍ଷରୁ ଅଧିକ ବର୍ଷ ହେବ ବସବାସ କରି ଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ, ଏହି ପଡାକୁ ଯିବା ଆସିବା କରିବା ପାଇଁ ସବୁଦିନିଆ ରାସ୍ତାଟିଏ ନାହିଁ । ବହୁତ ଥର ସରକାରଙ୍କୁ ଜଣାଇଥିଲେ ମଧ୍ୟ କିଛି କୁଚକ୍ରୀ ରାଜନେତା ଓ ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ପଡାକୁ ସବୁଦିନିଆ ରାସ୍ତାଟିଏ ନାହିଁ । ପ୍ରକାଶ ଥାଉ କି, ଗତ ବର୍ଷ ଅକ୍ଟୋବର ମାସ ୭ ତାରିଖ ଦିନ ଏହି ପଡାର ଗର୍ଭବତୀ ମହିଳା ଶ୍ରୀମତୀ କୁନ୍ତୀ ପୁଟାଙ୍କ ଗର୍ଭ ଯନ୍ତ୍ରଣା ହେତୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । କିନ୍ତୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗାଡିଟି ପଡା ଠାରୁ ୨ କି.ମି ଦୂରରେ ଅଟକି ଯାଇଥିଲା । ପଡାର ମହିଳାମାନେ ଗର୍ଭବତୀ ମା’କୁ କାନ୍ଧରେ ହାତ ପକାଇ ଚଲାଇ ଚଲାଇ ଆମ୍ବୁଲାନ୍ସ ପର୍ୟ୍ୟନ୍ତ ଅଣିଥିଲେ ଏବଂ ସେହି ସ୍ଥାନରୁ ଆମ୍ବୁଲାନ୍ସ ଯାେଗେ ତାଙ୍କୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ଓ ସେହିଠାରେ ତାଙ୍କର ଗୋଟିଏ ଶିଶୁ କନ୍ୟା ଜନ୍ମ ହେଇଥିଲା । ଏହି ବିଷୟରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଲୋକ ଉନ୍ନତି ସଂଗଠନର କର୍ମକର୍ତ୍ତା ଏବଂ ସଦସ୍ୟ ସଦସ୍ୟାମାନେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁଙ୍କୁ ଟୁଇଟର ଓ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ଜଣାଇଥିଲେ । ଏହି ବାର୍ତ୍ତ ପାଇବା ପରେ ମନ୍ତ୍ରୀ ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଏବଂ ଦେଓଗାଁ ବିଡ଼ିଓଙ୍କୁ ଏହି ପଡାକୁ ସବୁଦିନିଆ ନିର୍ମାଣ ପାଇ ନିର୍ଦେଶ ଦେଇଥିଲେ । ତାଙ୍କର ନିର୍ଦେଶ ଅନୁସାରେ ତତ୍କାଳୀନ ବିଡ଼ିଓ ଶ୍ରୀ ଲାକ୍ରା ତା୧୩-୧୦-୨୦୧୯ରିଖ ଦିନ ସରଜମିନ ତଦନ୍ତ କରି ଅତିଶୀଘ୍ର ରାସ୍ତା କାମ କରାଯିବ ବୋଲି ପଡାବାସୀଙ୍କୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା ଏପର୍ୟ୍ୟନ୍ତ ତାହା ହୋଇ ପାରିଲାନାହିଁ । ତେଣୁ ପଡାର ମହିଳାମାନେ ଏକ ବୈଠକ କରି ନିଜ ଗ୍ରାମ ପାଇଁ ନିଜେ ରାସ୍ତା ତିଆରି କରିବାକୁ ନିଷ୍ପତ୍ତି ନେଇ ରାସ୍ତା ନିର୍ମାଣ କରୁଥିବା କୁହାଯାଇଛି ।

Leave A Reply

Your email address will not be published.