ମଣ୍ଡିରେ ଧାନ ନ ଉଠିବା ପ୍ରତିବାଦରେ ଖଟଖଟିଆଠାରେ ଆଠ ଘଣ୍ଟା ଧରି ରାସ୍ତା ଅବରୋଧ କଲେ ଚାଷୀ : ଚାଷୀଙ୍କ ଦ୍ୱାରା ପେକ୍ସ ଇନ୍ସପେକ୍ଟର ଅଟକ
ବୌଦ୍ଧ, (ମମତା ମହାକୁର) : ମଣ୍ଡିରୁ ଧାନ ନ ଉଠିବାରୁ କଂଟାମାଲ ବ୍ଲକ ଖଟଖଟିଆ ଛକରେ ଦୀର୍ଘ ଆଠ ଘଣ୍ଟା ଧରି ରାସ୍ତା ଅବରୋଧ କଲେ ଚାଷୀ । ବୋୖଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଧାନ ବିକ୍ର ହୋଇ ନପାରି ପଡିରହିଛି ଶହ ଶହ କ୍ୱିଣ୍ଟାଲ ଧାନ । ବୋୖଦ୍ଧ ଜିଲ୍ଲା କଂଟାମାଲ ବ୍ଲକର ସିମିଲିପଦର ସେବା ସମବାୟ ସମିତିର ଖଟଖଟିଆ ଓ ସିମିଲିପଦର ଧାନ ମଣ୍ଡିରେ ୧୬ଦିନ ହେଲା ପାଞ୍ଚ ହଜାର କୁଇଣ୍ଟାଲ ଧାନ ପଡ଼ିଛ ।ଗତ ୧ତାରିଖରୁ ଧାନ ଆଣିଥିବା ଚାଷୀଙ୍କ ପାଖାପାଖି ୧୬ଦିନ ହେଲା ଧାନ ପଡିଛି । ଫଳରେ ଧାନ ନ ଉଠିବାରୁ ଚାଷୀଙ୍କ ଟୋକନ ଲାପସ ହୋଇଥିବା ଅଭିଯୋଗ କରିଛନ୍ତି । ଟାର୍ଗେଟ ନଥିବାରୁ ମିଲର ମଣ୍ଡିକୁ ଧାନ ଉଠାଉ ନ ଥିବାରୁ ଏପରି ସମସ୍ୟା ଦେଖାଦେଇଛି ।ଫଳରେ ଚାଷୀମାନେ ଉତ୍ୟକ୍ତ ହୋଇ ରାସ୍ତାରେ ଧାନବସ୍ତା ରଖି ଖଟଖଟିଆ ଠାରେ ଦୀର୍ଘ ଆଠ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଉଭୟ ପାଶ୍ୱର୍ରେ ଗାଡି ମୋଟର ଅଟକି ରହିଥିଲା ।କଂଟାମାଲରୁ ମନମୁଣ୍ଡା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଏପଟେ ମଣ୍ଡିରୁ ଧାନ ଉଠୁନ ଥିବାରୁ ଖୋଲା ଆକାଶ ତଳେ ପଡିଥିବା ଧାନ ସବୁ ଗଜା ହୋଇଗଲାଣି । ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।ଏଇ ଆନ୍ଦୋଳନରେ ବିଜେପି ଯୁବ ମୋର୍ଚା ସାଧାରଣ ସମ୍ପାଦକ ଓଁପ୍ରକାଶ ମିଶ୍ର, ଚାଷୀନେତା ବାଲ୍ମୀକି ମିଶ୍ର, କୃଷ୍ଣଚନ୍ଦ୍ର ପାଢ଼ୀ, ଚମ୍ପେଶ୍ୱର ପାଢ଼ୀ ଯଦୁମଣି ବଗର୍ତ୍ତି ସମେତ ବହୁ ଚାଷୀ ସାମିଲ ହୋଇଥିଲେ । ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପକ୍ଷରୁ ଏସଆଇ ସସ୍ମିତା ମଗର, ଏସଆଇ ସଂତୋଷ ମହାକୁଡ଼ ଆସି ଚାଷୀଙ୍କୁ ବୁଝାସୁଝା କରିଥିଲେ ।ହେଲେ ଚାଷୀମାନେ ବୁଝି ନଥିଲେ । ଶେଷରେ ପେକ୍ସ ଇନ୍ସପେକ୍ଟର ଗୁରୁପ୍ରସାଦ ଦାଶ ଓ ବ୍ଲକ ଯୋଗାଣ ଅଧିକାରୀ ଦେବକାନ୍ତ ମହନ୍ତ ଆସି ଚାଷୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ହେଲେ ଉତ୍ୟକ୍ତ ଚାଷୀମାନେ ସିମିଲିପଦର ସେବା ସମବାୟ ସମିତିରେ ପେକ୍ସ ଇନ୍ସପେକ୍ଟର ଗୁରୁପ୍ରସାଦ ଦାଶଙ୍କୁ ମଣ୍ଡିରେ ଅଟକ ରଖିଥିବା ଜଣାପଡ଼ିଛି । ଖବର ଲେଖାଯିବା ପର୍ୟ୍ୟନ୍ତ ସେ ଅଟକ ଥିବା ଜଣାପଡିଛି ।