ଓଡିଶାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଓ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବାରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେବଙ୍କ ଅବଦାନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଧୁନିକ ଓଡିଶାର ନିର୍ମାତା ତଥା ଓଡିଶାର ବରପୁତ୍ର ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଓଡିଶାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଓ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବାରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେବଙ୍କ ଅବଦାନ ଏକ ମହତ୍ତ୍ୱପୂର୍ଣ୍ଣ ଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ଅତିଥିମାନେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଓଡିଶାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଓ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ରାଜା ମର୍ଦ୍ଦରାଜ ପ୍ରାଧାନ୍ୟ ଦେବା ସହ ତାଙ୍କ ବଦାନ୍ୟ ଖଲ୍ଲିକୋଟ ବିଦ୍ୟାଳୟ ଓ ମହା ବିଦ୍ୟାଳୟକୁ ନିଜ ନାମରେ ନାମିତ ନକରି ଖଲ୍ଲିକୋଟ ନାମରେ ନାମିତ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଥିରୁ ରାଜାଙ୍କ ମହାନତା ସମ୍ପର୍କରେ ସମସ୍ତେ ଅବଗତ ହେବା ଆଜିର ଦିନରେ ଆବଶ୍ୟକତା ରହିଛି । ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ୧୯୨୧ ମସିହାରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଖଲ୍ଲିକୋଟ ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କଲେ । ୧୯୨୨ ମସିହାରେ ଗଞ୍ଜାମ ଜିଲ୍ଲା ବୋର୍ଡ ସଭାପତି ଭାବେ ମନୋନୀତ ହେଲେ । ୧୯୨୩ ମସିହାରେ ମାନ୍ଦ୍ରାଜ ଲୋକସଭାର ସଦସ୍ୟ ହେଲେ ଏବଂ ଅବହେଳିତ ଉତ୍କଳୀୟଙ୍କ ଉନ୍ନତିମୂଳକ କାର୍ଯ୍ୟରେ ମନୋନିବେଶ କଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ମନ ପ୍ରାଣ ଢାଳିଲେ । ଅଣ ଓଡିଆମାନେ ଓଡିଶାର ବିଭିନ୍ନ ଅଞ୍ଚଳରେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇ ବିଭିନ୍ନ ଷଡଯନ୍ତ୍ର କରିବା ହେତୁ ଓଡିଆମାନେ ବହୁ ଦୁଃଖ ଓ ନିର୍ଯାତନା ଭୋଗ କରୁଥିଲେ । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ନିଜ ପିତା ସ୍ୱର୍ଗତ ହରିହର ମର୍ଦ୍ଦରାଜ ଦେଓଙ୍କ ଦେଶ ମିଶ୍ରଣ ପାଇଁ ମହନୀୟ ଚେଷ୍ଟା ତଥା ଓଡିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣର ଆବଶ୍ୟକତା, ଓଡିଆମାନଙ୍କ ଇଚ୍ଛା ଓ ଅଭିପ୍ସା ସମ୍ପର୍କରେ ଯୁକ୍ତିଯୁକ୍ତ ଲିଖିତ ଦାବୀ ଉପସ୍ଥାପନ କରିଥିଲେ । ୧୯୨୭ ମସିହାରେ ମହାତ୍ମା ଗାନ୍ଧୀ ସ୍ୱରାଜ ଆନ୍ଦୋଳନ ପାଇଁ ଓଡିଶା ଗସ୍ତ ବେଳେ ରମ୍ଭା ରାଜ ପ୍ରାସାଦରେ ଆତିଥ୍ୟ ଗ୍ରହଣ କରିଥିଲେ । ୧୯୩୧ ମସିହାରେ ଓଡିଶା ସୀମା ନିର୍ଦ୍ଧାରଣ ପାଇଁ ସାର୍ ସାମୁଏଲ୍ ଓଡୋନେଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଯୁକ୍ତ ହୋଇଥିଲା । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ୧୯୩୨ ମସିହାରେ ତୃତୀୟ ଗୋଲଟେବୁଲ୍ ବୈଠକରେ ଯୋଗଦାନ କରି ଓଡୋନେଲ କମିଟି ସୁପାରିଶ୍ ଅସମିଚୀନ ଓ ଅଟଲୀ ସବ୍ କମିଟିର ସୁପାରିଶ୍ ଯଥାର୍ଥ ବୋଲି ଯୁକ୍ତି ଉପସ୍ଥାପନ ପୂର୍ବକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଉ ବୋଲି ଦାବୀ ଉପସ୍ଥାପନ କରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅତ୍ୟନ୍ତ ମହନୀୟ, ଏଣୁ ଓଡିଶାର ଏହି ମହାନ ବରପୁତ୍ର ଜନକଲ୍ୟାଣ ପାଇଁ ଜନମାନସରେ ସଦା ସ୍ମରଣୀୟ ହୋଇ ରହିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଛତ୍ରପୁରର ବରିଷ୍ଠ ନାଗରିକ ବ୍ରଜ ମୋହନ ଆଚାର୍ଯ୍ୟ ଅନ୍ୟତମ ଅତିଥିଭାବେ ଯୋଗଦେଇ ତାଙ୍କ ଅଭି ଭାଷଣରେ କହିଥିଲେ ଯେ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ କ୍ଷେତ୍ରରେ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଅବଦାନ ଅତୁଳନୀୟ । ସେ ଜଣେ ପ୍ରଜାବତ୍ସଳ ରାଜା ଥିଲେ । ଭାରତ ସ୍ୱାଧୀନତା ପୂର୍ବରୁ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନର ସ୍ୱପ୍ନ ମଧୁବାବୁ ଦେଖିଥିଲେ । ତେଣୁ ଓଡିଶାର ସ୍ୱାଧୀନତା ଆନ୍ଦୋଳନକୁ ସେ ପ୍ରାଧାନ୍ୟ ଦେଇଥିଲେ । ଅନ୍ୟତମ ଅତିଥିଭାବେ କ୍ୟୁରେସ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ଅରୁଣ କୁମାର ଶତପଥୀ ଯୋଗଦେଇ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ, ରାମଚନ୍ଦ୍ର ମର୍ଦ୍ଦରାଜ ପ୍ରକୃତରେ ଗଣତନ୍ତ୍ରର ପ୍ରତିଷ୍ଠାତା ଥିଲେ । ସେ ବ୍ୟକ୍ତିର ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଉଥିଲେ । ୧୯୪୭ ମସିହାରେ ମର୍ଦ୍ଦରାଜ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜମିଦାରୀ ଉଚ୍ଛେଦ ଆଇନକୁ ସମର୍ଥନ କରିଥିଲେ । ଓଡିଶା ହେଉଛି ବହୁ ପୂରାତନ ଭାଷା । ଏଣୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ପରିଶେଷରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଓଡିଆ ବକ୍ତୃତା ଓ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।