ତାଳବାହାଳୀରେ ଶ୍ରୀରାମ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିନେ ରାମନାମ ଜପକରି ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମୀକି ରୂପରେ ପରିଣତ ହୋଇଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ପଦ ସ୍ପର୍ଶରେ ଅଭିଶପ୍ତିନି ପାଷାଣୀ ଅହଲ୍ୟା ନିଜ ପୂର୍ବରୂପ ଫେରି ପାଇଥିଲେ । ତେଣୁ ମଣିଷ ଜୀବନକୁ ସାର୍ଥକ କରିବାକୁ ହେଲେ ଆମ ସମସ୍ତଙ୍କୁ ଶ୍ରୀରାମଙ୍କ ନାମ କୀର୍ତ୍ତନକୁ ଆଦରିବାକୁ ହେବ । କାରଣ ରାମନାମ ହିଁ ଆମ ସମସ୍ତଙ୍କୁ ଏଇ ମାୟାଜାଳରୁ ମୁକ୍ତ କରି ମୋକ୍ଷପ୍ରାପ୍ତି ଆଡକୁ ବାଟ କଢାଇବାରେ ସହାୟକ ହେବ । ଆଜି ଲହୁଣୀପଡା ବ୍ଲକ ବଡ଼ପୁରୁଣାପାଣୀ ପଞ୍ଚାୟତ ଅନ୍ତର୍ଗତ ତାଳବାହାଳୀ ଗ୍ରାମରେ ଅନୁଷ୍ଠିତ ଶ୍ରୀରାମ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଆହ୍ୱାନ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ପଦାଧିକାରୀ ଶାନ୍ତନୁ କୁସୁମ । ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ଈଶ୍ୱରପ୍ରାପ୍ତି ମଣିଷ ଜୀବନର ମୂଳଲକ୍ଷ୍ୟ ହେବା ଉଚିତ । ତେବେ ଲୋଭ, ମୋହ, ଇର୍ଷା, ଅହଙ୍କାର ଭିତରେ ଆମେ ଅଧିକାଂଶ ସମୟ ବୁଡିରହିବା ଯୋଗୁଁ ହିଁ ଈଶ୍ୱରଙ୍କ ସତ୍ତାକୁ ଅନୁଭବ କରିବାରୁ ବଞ୍ଚିତ ହେଉଛେ । ତେଣୁ ମୋହ ମାୟା ରୁପକ ମରୀଚିକା ପଛରେ ନଧାଇଁ ଆମେ ସବୁ ସମୟରେ ପ୍ରଭୁ ଶ୍ରୀରାମଙ୍କ ଶରଣାଗତ ହେବା ନିମିତ୍ତ ଆଗଭର ହେବା ଉଚିତ ବୋଲି ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀ କୁସୁମ ଆହ୍ୱାନ କରିଥିଲେ । ସର୍ବପ୍ରଥମେ ନିକଟସ୍ଥ ଜଳାଶୟରୁ ଶତାଧିକ ମାଆ ଭଉଣୀଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନା ପରେ ପଣ୍ଡିତ ଧନେଶ୍ୱର ପଣ୍ଡାଙ୍କ ନେତୃତ୍ୱରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ତା’ପରେ ଅନୁଷ୍ଠିତ ସଭାରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ପ୍ରଭାରୀ ଚୁଡାମଣି ମହାନ୍ତ, ଜିଲ୍ଲା ସଭାପତି ହୃଦୟ କୁମାର ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ । ସବାଶେଷରେ ସମସ୍ତ ଶ୍ରଦ୍ଧାଳୁ ଅନ୍ନ ପ୍ରସାଦର ଆନନ୍ଦ ନେଇଥିଲେ । ହେମନ୍ତ ଓରାମଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କବିଳେନ୍ଦ୍ର ମହାନ୍ତ, ଉମାରାଣୀ ମହାନ୍ତ, ନେତ୍ରମଣି ମହାନ୍ତ, ନିଳେନ୍ଦ୍ରି ମହାନ୍ତ, ନମିତା ମହାନ୍ତ, ସରସ୍ବତୀ ପାତ୍ର, ଟିକେଶ୍ୱର ପାତ୍ର, ରାତନି ଓରାମ, ବିମଳା ପାତ୍ର, ଝାରିଓ ଓରାମ, ନବୀନ ଚନ୍ଦ୍ର ନାଏକ, ମାଳତୀ ଦେବୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ୭ଟି ଗ୍ରାମର ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.