ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ଅଯୋଧ୍ୟାର ଭଗବାନ ଶ୍ରୀରାମ ମନ୍ଦିରର ପବିତ୍ର ଶୁଭ ଲୋକାର୍ପଣର ସ୍ମୃତି ଅବସରରେ ଅମ୍ୱାଦଳା ଅଞ୍ଚଳରେ ଏକ ଭକ୍ତି ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାମ ମନ୍ଦିର ନିର୍ମାଣର ଏକ ବର୍ଷ ପୂର୍ତ୍ତି ଅବସରରେ ଅମ୍ୱାଦଳା ଅଞ୍ଚଳର ରାମ ଓ ଶ୍ୟାମ ପ୍ରେମୀ ମାନଙ୍କ ଦ୍ଵାରା ଅମ୍ୱାଦଳା ଶାନ୍ତିଛକ ଠାରେ ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀରାମଙ୍କ ବିଗ୍ରହ ପୂଜା ହୋମ, ଯଜ୍ଞ, ଶୋଭାଯାତ୍ରା ସହ ସନ୍ଧ୍ୟା ସମୟରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଞ୍ଚଳରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସକାଳ ୮ ଘଟିକା ସମୟରୁ ପୂଜା ଓ ହୋମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମଧ୍ୟାହ୍ନ ସମୟରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ହଜାର ହଜାର ସଂଖ୍ୟାରେ ଶ୍ରୀରାମ ପ୍ରେମୀ ପୁରୁଷ ଓ ମହିଳା ମାନେ ଶାନ୍ତିଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଅମ୍ୱାଦଳା ସହର ପରିକ୍ରମା କରିଥିଲେ । ଜୟ ଶ୍ରୀରାମ ଧ୍ଵନିରେ ସାରା ସହରରେ ଏକ ପ୍ରକାର ଭକ୍ତି ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହେଉଥିଲା । ସନ୍ଧ୍ୟା ସମୟରେ ସୁଦୂର ଛତିଶଗଡ଼ ରାଜ୍ୟରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ରାମଶ୍ୟାମ ପ୍ରେମୀ ମାନଙ୍କ ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଛି ।