ସଂକଳ୍ପ ପରିବାର ପକ୍ଷରୁ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ

  • ଶ୍ରୀଗିଡା ଗ୍ରାମରେ ୫୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଗ୍ରୀଷ୍ମକାଳୀନ ସମୟରେ ପ୍ରତ୍ୟେକ ରକ୍ତଭଣ୍ଡାରମାନଙ୍କରେ ରକ୍ତର ଅଭାବ ସୃଷ୍ଟି ହେଉଥିବାରୁ “ରକ୍ତ ସଂଗ୍ରହ ଅଭିଯାନ” ଆରମ୍ଭ କରିଛି ବରଗଡ଼ର ସଂକଳ୍ପ ପରିବାର । ଆଜି ପବିତ୍ର ଚନ୍ଦନ ଯାତ୍ରା ମହୋତ୍ସବ ଅବସରରେ ଶ୍ରୀଗିଡା ଗ୍ରାମବାସୀ ଏବଂ ସଂକଳ୍ପ ପରିବାରର ମିଳିତ ଆନୁକୂଲ୍ୟରେ ଶ୍ରୀଗିଡା ଗ୍ରାମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲା ପରିଷଦ ସଦସ୍ୟା ପ୍ରତିନିଧି ସୁବ୍ରତ ବେହେରା ଯୋଗଦାନ କରି ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିରକୁ ଆରମ୍ଭ କରିଥିଲେ । ତାଙ୍କ ସହିତ ଶ୍ରୀଗିଡା ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ ଶ୍ରୀମାନ ଲୋକେଶ କୁମାର୍ ସାହୁ, ଗାଁର ଗୌନ୍ତିଆ ସୁନିଲ ବାରିକ ଏବଂ ଭଦ୍ରବ୍ୟକ୍ତି ପୁଷ୍ପରଞ୍ଜନ୍ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ୧୨ଜଣ ମହିଳା ରକ୍ତଦାତା ସମେତ ମୋଟ ୫୧ୟୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ଵାରା ସଂଗ୍ରହ ହୋଇଥିଲା । ତେବେ ଆଜିର ଏହି ରକ୍ତଦାନ ଶିବିରରେ ୨୩ଜଣ ରକ୍ତଦାତା ନିଜ ଜୀବନର ପ୍ରଥମ ରକ୍ତଦାନ କରିଥିଲେ । ଏହି ଶିବିରକୁ ସଫଳ କରିବାରେ ଶ୍ରୀଗିଡା ଗ୍ରାମର ଯୁବକମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା । ନିଜ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମାଜିକ କାର୍ଯ୍ୟ କରି ସମାଜ ପ୍ରତି ରହିଥିବା ନିଜର କର୍ତବ୍ୟ ପାଳନ କରିବାର ସହିତ ମାନବିକତାର ପରିଚୟ ଦେଇଥିବା ଶ୍ରୀଗିଡା ଗ୍ରାମବାସୀ ତଥା ସମସ୍ତ ରକ୍ତଦାତାଙ୍କୁ ସଂକଳ୍ପ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.