ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଦିବାସୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଭାଷା ସଂପାନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ସହଯୋଗିତାରେ ‘ରାଜ୍ୟସ୍ତରୀୟ ଭାଷା ସଂପାନ’ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଆମନ୍ତ୍ରିତ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଭାଷା ସଂପାନର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର୍ କାର୍ତ୍ତିକ ଚନ୍ଦ୍ର ସି ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ସଂପାନର ଉଦ୍‌ଘାଟନ କରିବା ସାଙ୍ଗ ସଙ୍ଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଫେସର୍ ପ୍ରତ୍ୟୁଷ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଂପାନରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର୍ ଡଃ. ପ୍ରେମାନନ୍ଦ ମହାପାତ୍ର ମୁଖ୍ୟଅତିଥି ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡଃ. କୁଳମଣି ଓଝା, ମୁଖ୍ୟବକ୍ତା ରୂପେ ଓଡ଼ିଆ ଭାଷାର ମୌଳିକ ଭିତ୍ତି, ଉନ୍ମେଷ ଓ ଉତ୍ତରଣ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଭାଷା ସଂପାନରେ ଆଲୋଚକ ରୂପେ ବର୍ଷୀୟାନ୍ ସଂସ୍କୃତବିଦ୍ ପଣ୍ଡିତ ଅନନ୍ତ ଚରଣ ମିଶ୍ର ‘ଓଡ଼ିଆ ଭାଷାର ବିକାଶ ଓ ସୁରକ୍ଷା’, ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡଃ. ମଧୁସୂଦନ ମହାପାତ୍ର ‘ସଚ୍ଚି ରାଉତରାୟଙ୍କ କ୍ଷୁଦ୍ରଗଳ୍ପର ଭାଷା’ ଓ କଳିଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ଡଃ. ନଳିନୀ କୁମାର ପାଣିଗ୍ରାହୀ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟଭାଷା’ ସଂପର୍କରେ ତଥ୍ୟ ଓ ତତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରଫେସର୍ ପ୍ରେମାନନ୍ଦ ମହାପାତ୍ର ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଡଃ. ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମସ୍ତ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ଏହି ଅବସରରେ ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା ଓ ଶୁଦ୍ଧ ଲିଖନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ପୁସ୍ତକ ପୁରସ୍କାର ରୂପେ ବିତରଣ କରାଯାଇଥିଲା । ଏହି ସଂପାନରେ ସାହିତ୍ୟିକ ରବୀନ୍ଦ୍ର କୁମାର ରଥ, ବିଭାଗୀୟ ଅଧ୍ୟାପିକା ସ୍ନେହଲତା ମାଝୀ, ଡଃ. ବିଶ୍ୱେଶ୍ଵର ଆଚାର୍ଯ୍ୟ, ଡଃ. ବନୀତା ପଟ୍ଟନାୟକ, ସାଗରିକା ସାହୁ, ସ୍ଵାଗତିକା ପରବିନ୍, ଶାଳବଣ ସାହିତ୍ୟ ସଂସଦର କାର୍ଯ୍ୟକର୍ତ୍ତା, ବିଭାଗୀୟ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଣ – ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପିକା ସୁଲୋଚନା କଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.