ପାଟଣାଗଡ : ଗାଁ ମୂଳ ଗ୍ରାମରୁ ଅଲଗା ହେବ । ପଡ଼ାକୁ ମିଳିବ ଗାଁ ପରି ସୁବିଧା ଏପରି ଅନେକ ବିଷୟ ନେଇ ଗ୍ରାମବାସୀ ସ୍ୱପ୍ନ ଦେଖୁଥିବା ବେଳେ ଦୀର୍ଘ ୨୧ ବର୍ଷ ସଙ୍ଘର୍ଷ କରି ଆସୁଛନ୍ତି ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବା ପାଇଁ । କୌଣସି ନା କୌଣସି ବାହାନା କରି ପ୍ରଶାସନ ଶେଷ ମୁହୂର୍ତ୍ତରେ ରାଜସ୍ୱ ଗ୍ରାମ ଘୋଷଣାରୁ ବାଦ ପକାଉଥିବା ବେଳେ ଗ୍ରାମବାସୀ ଏବେ ରାଜରାସ୍ତାରେ ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଖୁଣ୍ଟସମଲାଇ ପଞ୍ଚାୟତ ଦଲପାଲି ମୂଳ ଗାଁ ଖୁଣ୍ଟସମଲାଇର ଏକ ପଡା ଅଟେ । ୧୯୫୨ ମସିହାରୁ ଏହି ଦଲପାଲି ଗ୍ରାମଟି ସ୍ଥାପନ ହୋଇଥିବା ବେଳେ ବର୍ତମାନ ଲୋକସଂଖ୍ୟା ୫୩୦ । ମୂଳ ଗ୍ରାମ ଖୁଣ୍ଟସମଲାଇଠାରୁ ୨ କିଲୋମିଟର ଦୂର ମଝିରେ ଗୋଟିଏ ନଦୀ ପଡୁଥିବାରୁ ସବୁବେଳେ ମୂଳ ଗାଁରୁ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଆସୁଛି । ୨୦୦୨ ମସିହାରେ ସରକାର ଯେତେବେଳେ ରାଜସ୍ୱ ଗ୍ରାମ ବୃଦ୍ଧି କରିବା ପାଇଁ ବିଜ୍ଞପ୍ତି ଜାରି କଲେ ଗ୍ରାମବାସୀ ଖୁସିରେ ମ୍ରିୟମାଣ ହୋଇ ଯାଇଥିଲେ । ହେଲେ ଖୁସି ଖୁସିରେ ରହିଗଲା ଯେତେବେଳେ ଜଙ୍ଗଲ ଜମି ଓ ଗୋଚର ଜମି ନଥିବାରୁ ରଦ୍ଦ ହେଲା । ପୁଣି ୨୦୨୨ ମସିହାରେ ସରକାର ଜଙ୍ଗଲ ଜମି ଓ ଗୋଚର ଜମି ନଥିଲେ ବି ରାଜସ୍ୱ ଗ୍ରାମ ହୋଇ ପାରିବ ବୋଲି ବିଜ୍ଞପ୍ତି ଜାରି କଲା ପରେ ପୁଣି ରାଜସ୍ୱ ଗ୍ରାମ ହେବ ବୋଲି ଫୁଲ୍ ଦମ୍ରେ ଲାଗି ପଡିଲେ ଗ୍ରାମବାସୀ । ତହସିଲ ଅଫିସ, ଜିଲ୍ଲପାଳ ଅଫିସକୁ ଚକ୍କର କାଟିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ ତହସିଲ ଅଫିସରୁ ଗତ ନଭେମ୍ବର ୨୦୨୨ରେ କାଗଜପତ୍ର ବଲାଙ୍ଗିର ଜିଲ୍ଲାପାଳ ଅଫିସକୁ ଯାଇଥିବା ଜାଣିବାକୁ ପାଇଥିଲେ । ହେଲେ ସେଠାରୁ ରାଜସ୍ୱ ଗ୍ରାମ କାଗଜପତ୍ରର କିଛି ପତ୍ତା ମିଳିନଥିଲା ।
ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିବା ପରେ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କୁ ନିଜର ଅଧିକାର ମାଗିବା ପାଇଁ ଗାଁର ୪୦୦ରୁ ଅଧିକ ପୁରୁଷ ଓ ମହିଳା ପାଟଣାଗଡ ପାଟଣେଶ୍ୱରୀ ମନ୍ଦିରଠାରୁ ଏକ ରେଲି କରି ପ୍ଲାକାର୍ଡ ଧରି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି । ଏହି ରେଲି ସମୟରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ପାଟଣାଗଡ ଶାଖା ମଧ୍ୟ ସହଯୋଗ କରିବା ସହିତ ରେଲିରେ ଯୋଗ ଦେଇଥିଲେ ।
ନୂଆ ରାଜସ୍ୱ ଗ୍ରାମ ପାଇଁ ସମସ୍ତ ସର୍ତ୍ତ ପୁରଣ କରୁଥିଲେ ବି ରାଜସ୍ୱ ଗ୍ରାମ ହୋଇ ପାରୁନଥିବାରୁ ଆଜି ରାଜରାସ୍ତାକୁ ଗ୍ରାମବାସୀ ଓହ୍ଲାଇ ଥିବା ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେବା ପାଇଁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।