jayashree

ରଜପାନର ଆଦର ସବୁବେଳେ

ରାଉରକେଲା, (ସସ୍ମିତା ପ୍ରଧାନ) : ରଜ ଆସିଲେ ସହର ଠୁ ପୁରପଲ୍ଲୀ ସବୁ ଉତ୍ସବ ମୁଖର ହୁଏ । ଘରେ ଘରେ ପିଠା ପଣାର ମହକ ଛୁଟେ । ରଜଦୋଳି, ତାସଖେଳ, ଲୁଡୁ, ବାଗୁଡି, ନୃତ୍ୟ ଗୀତରେ ସମସ୍ତେ ମତୁଆଲ ହୁଅନ୍ତି । ତେବେ ରଜପାନର ଚାହିଦା ଥିଲା, ରହିଛି, ରହିବ । ଏହି ପରିପ୍ରେକ୍ଷୀରେ ସେକ୍ଟର ୫ ମାର୍କେଟରେ ପାନ ବ୍ୟବସାୟ କରୁଥିବା ବିଜୟ କୁମାର ରାଉତ କୁହନ୍ତି ଯେ, ସେ ଦୀର୍ଘ ୪୩ ବର୍ଷ ଧରି ପାନ ସହ ଅନ୍ୟାନ୍ୟ ଜିନିଷର ବେପାର କରନ୍ତି । ତେବେ ରଜ ଆସିଲେ ହଠାତ୍ ପାନ ବେପାର ବଢିଯାଏ । ଶ୍ରୀ ରାଉତଙ୍କ ପାନର ଚାହିଦା ଅନେକ । ତାଙ୍କ ପାନ ଖାଲି ରାଉରକେଲା କାହିଁକି ବିଦେଶରେ ମଧ୍ୟ ପ୍ରଶଂସା ସାଉଁଟିଛି । ଏହା ସହ ସହରର ଜର୍ମାନ କ୍ଲବ, ଦୀପ୍ତି ହୋଟେଲ, ରାଉରକେଲା କ୍ଲବ, ଫେଟେ ତଥା ଭୁବନେଶ୍ଵରକୁ ସେ ପାନ ପଠାଇଥାନ୍ତି । ରଜପାନକୁ ବିଭିନ୍ନ ମସଲାରେ ସଜାଇ ସେ ପ୍ରସ୍ତୁତ କରିସାରିଲା ପରେ ଯେତେବେଳେ ଗ୍ରାହକଙ୍କ ହାତକୁ ବଢାଇ ଦିଅନ୍ତି, ସେତେବେଳେ ସେମାନଙ୍କ ହସ ତାଙ୍କୁ ତୃପ୍ତି ପ୍ରଦାନ କରିଥାଏ ବୋଲି ସେ କୁହନ୍ତି । ରଜ ଆସିବା ପୂର୍ବରୁ ସେ ଆଗୁଆ ଅର୍ଡର ପାଇଥାନ୍ତି । ପାନଭଙ୍ଗାରେ ଘରେ ତାଙ୍କ ସ୍ତ୍ରୀ ମଧ୍ୟ ସାହାଯ୍ୟ କରିଥାନ୍ତି । ରଜ ଆସିଲେ ରଜପାନର ଚାହିଦା ସବୁବେଳେ ରହିଛି ବୋଲି ସେ କୁହନ୍ତି ।

Leave A Reply

Your email address will not be published.