ବଲାଙ୍ଗିର, (କେପିଏନ୍ଏସ୍) : ଚାଷୀ ଭାଇର ହିଡ଼ ମୁଣ୍ଡରେ…., ଗାଁ ବୋହୂର ହାଣ୍ଡିଶାଳାରେ, କାଠୁରିଆ କାନ୍ଧରେ ଝୁଲେ, ରିକ୍ସାବାଲାର ରିକ୍ସା ଉପରେ, ପାନ ଦୋକାନୀର କେବିନ ଉପରେ ଅଲ୍ ଇଣ୍ଡିଆ ରେଡ଼ିଓ । ରେଡ଼ିଓ ଗୀତ କାନରେ ବାଜିବା କ୍ଷଣି ଭାରି ନିଜର ନିଜର ଲାଗେ । ଖାଲି ଗୀତ ନୁହେଁ ରେଡ଼ିଓର ଭାବ, ଭାବନା, ଭାଷା ଭାରି ମିଠାମିଠା ଲାଗେ । ରେଡ଼ିଓ ପ୍ରେମରେ ପଡ଼ିଥିବା ଲୋକର ଅନୁଭୂତି ଖୁବ୍ ନିଆରା । ଏବେ ରେଡ଼ିଓର ବ୍ୟବହାର ଅନେକାଂଶରେ କମିଗଲାଣି ସତ କିନ୍ତୁ ରେଡ଼ିଓକୁ ପିଲାଦିନରୁ ଆଜି ଯାଏ ଗଭୀର ଭାବରେ ଭଲ ପାଉଥିବା ଅନେକ ଲୋକ ଏବେବି ଅଛନ୍ତି । ସେମାନେ ନିୟମିତ ରେଡ଼ିଓ ଶୁଣିବା ସହ ଏହା କିପରି ବଞ୍ଚିରହିବ ସେଥିପାଇଁ ଶ୍ରୋତା ସଂଘ ଗଠନ କରି ଲୋକଙ୍କୁ ଉତ୍ସାହିତ କରନ୍ତି । ଏପରି ଜଣେ ରେଡ଼ିଓ ପ୍ରେମୀ ମଣିଷ ହେଲେ ବଲାଙ୍ଗିର ଶାନ୍ତିପଡ଼ାର ଗୋପିନାଥ ଦଣ୍ଡସେନା ।
ଗୋପୀନାଥଙ୍କ ମୂଳଘର ଚନ୍ଦନଘାଟି ବଘଲା । ସେ ରାଜେନ୍ଦ୍ର କଲେଜର ପଢ଼ିବା ପରଠୁ ରେଡ଼ିଓ ପ୍ରତି ଆକର୍ଷିତ ହୋଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ଗଠନମୂଳକ ମତାମତ ମଧ୍ୟ ଦିଅନ୍ତି । ଆକଶବାଣୀକୁ ବାରମ୍ବାର ମତାମତ ପଠାଉଥିବାରୁ ଆକାଶବାଣୀ ସମ୍ବଲପୁର ପକ୍ଷରୁ ତାଙ୍କୁ ୧୯୯୩ ମସିହାରେ ଶ୍ରୋତାଙ୍କ ମତାମତ ଭିତ୍ତିକ କାର୍ଯ୍ୟକ୍ରମ ‘ଧ୍ୱନୀ ପ୍ରତିଧ୍ୱନୀ’କୁ ଡକାଯାଇଥିଲା । ରେଡ଼ିଓରୁ ସାହିତ୍ୟ କାର୍ଯ୍ୟକ୍ରମ ଶୁଣି ଶୁଣି କବିତା ଲେଖା ଆରମ୍ଭ କରିଥିଲେ । ପରେ ୧୯୯୭ ମସିହାରେ ସେ ଯୁବବାଣୀ କାର୍ଯ୍ୟକ୍ରମରେ କବିତାପାଠ କରି ୭୫୦ଟଙ୍କା ପାଇଥିଲେ । ଯାହା ତାଙ୍କୁ ଆହୁରି ଉତ୍ସାହିତ କରିଥିଲା । ସମ୍ବଲପୁରରୁ ଫେରି ସେହିଦିନ ହିଁ ପାଇଥିବା ଟଙ୍କାରୁ ୬୦୦ଟଙ୍କାରେ ବଲାଙ୍ଗିରରୁ ରେଡ଼ିଓଟେ କିଣିଥିଲେ । ସେହି ରେଡ଼ିଓରୁ ଆଜି ଯାଏ କାର୍ଯ୍ୟକ୍ରମ ଶୁଣୁଛନ୍ତି । ତେବେ ଟିଭି ଆସିବା ପରେ ରେଡ଼ିଓର ପ୍ରଚଳନ କମିବା ଲକ୍ଷ୍ୟ କରିଥିଲେ । ସେଥିପାଇଁ ଆକାଶବାଣୀକୁ ଚିଠି ପଠାଉଥିବା ଶ୍ରୋତାଙ୍କ ନାମ, ଠିକଣାକୁ ଶୁଣି ଟିପି ରଖୁଥିଲେ । ପରେ ସେହି ଶ୍ରୋତାଙ୍କ ସହ ଯୋଗାଯୋଗ କରି ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ପ୍ରଥମ ଆକାଶବାଣୀ ଶ୍ରୋତା ପରିଚୟ ପତ୍ରିକା ‘ମୁକୁର’ ପ୍ରକାଶ କରିଥିଲେ । ଏହାପରେ ୨୦୦୭ ମସିହାରେ ବଲାଙ୍ଗିର ସମେତ ବିଭିନ୍ନ ଜିଲ୍ଲାର ରେଡ଼ିଓର ନିୟମିତ ଶ୍ରୋତାଙ୍କୁ ନେଇ ଆକାଶବାଣୀ ଶ୍ରୋତା ସଂଘ ଗଠନ କରିଛନ୍ତି । ଯାହା ରେଡ଼ିଓକୁ ବଞ୍ଚାଇ ରଖିବାର ଆଶା ସଞ୍ଚାର କରିଛି ।