ବରଗଡ଼ ବ୍ଲକ୍‌ସ୍ତରୀୟ ନିଜସ୍ୱ ଅଭିନବ ଏଫ୍ ଏଲ୍ ଏନ୍ ପୁସ୍ତକ ଉନ୍ମୋଚିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନିଜସ୍ୱ ଏଫ୍ ଏଲ୍ ଏନ୍ ଅଭିନବ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ସ୍ବତନ୍ତ୍ର ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସମ୍ମାନିତ ଅତିଥି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ମେହେର ଓ ଲଜିତା ପ୍ରଧାନ ଉପସ୍ଥିତ ଥିଲେ । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନକୁ ସୁଦୃଢ଼ କରିବା ପାଇଁ ସର୍ବତ୍ର ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ବରଗଡ଼ ବ୍ଲକର ଦୁଇଜଣ ରାଜ୍ୟ ସାଧନ କର୍ମୀ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜିକା ନମିତା ପଟ୍ଟନାୟକ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚକରକେନ୍ଦର ସହକାରୀ ଶିକ୍ଷୟିତ୍ରୀ ପାର୍ବତୀ ଦାଶ ନିଜସ୍ବ ପ୍ରଚେଷ୍ଟାରେ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାକୁ ମାନକ ଭାଷା ସହିତ ସଂଯୋଗିକରଣ କରି ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ “ଘର ଭାଷାରୁ ମାନକ ଭାଷା – ସଚିତ୍ର ଶବ୍ଦ ସମ୍ଭାର” ନାମିତ ପୁସ୍ତକ ରଚନା କରିଛନ୍ତି । ଠିକ୍ ସେହିପରି ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜିକା ନମିତା ପଟ୍ଟନାୟକ “ସଠିକ୍ କ୍ରମରେ ଓଡ଼ିଆ ବର୍ଣ୍ଣମାଳା ଲିଖନ-ଏକ ଜରୁରୀ ପଦକ୍ଷେପ” ନାମକ ପୁସ୍ତକ ବିଶେଷ କରି ଏଫ୍ ଏଲ୍ ଏନ୍ ଛାତ୍ର ଛାତ୍ରୀ ସହଜ ଓ ସୁନ୍ଦର ଭାବରେ ଓ ସଠିକ୍ କ୍ରମରେ ଓଡ଼ିଆ ବର୍ଣ୍ଣମାଳା ଲେଖିବା ପାଇଁ ରଚନା କରିଛନ୍ତି । ଉଭୟ ପୁସ୍ତକ ରଚନା କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହାଶୟା ସାଧନ କର୍ମୀ ଦ୍ବୟଙ୍କୁ ପ୍ରୋତ୍ସାହିତ କରିଥିଲେ । ବରଗଡ଼ ବ୍ଲକ୍‌ର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ ସିଆର୍‌ସିସିମାନଙ୍କ ଉପସ୍ଥିତିରେ ଉଭୟ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉତ୍ସର୍ଗୀକୃତ ମନୋଭାବ ତଥା ନିଜ ଅଞ୍ଚଳର ଛାତ୍ର ଛାତ୍ରୀଙ୍କ ଉନ୍ନତି ପାଇଁ ସକାରାତ୍ମକ ମନୋଭାବ ପୋଷଣ ଅଭିନବ କାର୍ଯ୍ୟ କରିବା ପାଇଁ ସର୍ବଦା ପ୍ରେରଣା ଯୋଗାଇଥାଏ । ବରେଣ୍ୟ ଅଧିକାରୀଗଣ ବହୁମୂଲ୍ୟ ମତାମତ ଦେଇ ପୁସ୍ତକ ତଥା ସାଧନ କର୍ମୀମାନଙ୍କୁ ପ୍ରଶଂସା ଏବଂ ସାଧୁବାଦ ଜଣାଇ ଥିଲେ । ପରିଶେଷରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଜିତା ପ୍ରଧାନ ଧନ୍ୟବାଦ ଅର୍ପଣ କଲେ ।

Leave A Reply

Your email address will not be published.