jayashree

ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା

  • ପୁସ୍ତକର ବିଚାର ସଦାସର୍ବଦା ନିତ୍ୟ ନୂତନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁସ୍ତକର ସୃଷ୍ଟିହୁଏ ସମୟର ଆହ୍ବାନରୁ । ପୁସ୍ତକ ମଧ୍ୟ ସୃଷ୍ଟି କରିପାରେ ସାମାଜିକ, ରାଜନୈତିକ ବିପ୍ଳବ । ପୁସ୍ତକର ଲେଖକ ସମୟର ସ୍ରୋତରେ ଅତୀତ ହୋଇଯାଇ ପାରନ୍ତି । ମାତ୍ର ପୁସ୍ତକର ବିଚାର ପୁରୁଣା ହୁଏ ନାହିଁ, ବରଂ ଏହା ସଦାସର୍ବଦା ନିତ୍ୟ ନୂତନ ବୋଲି କହି ପୁସ୍ତକ ପଠନ ଅଭ୍ୟାସକୁ ବଳବତ୍ତର ରଖିବାକୁ ଆହ୍ବାନ ଦେଇଛନ୍ତି ବିଶିଷ୍ଟ ଶିକ୍ଷାବିତ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ । ଆଜି ଥିଲା ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ତୃତୀୟ ଦିବସ । ବର୍ଷା ଯୋଗୁଁ ପୁସ୍ତକ ମେଳାର ତୃତୀୟ ସଂଧ୍ୟାର ସାହିତ୍ୟସଭା ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା । ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସଭାପତିତ୍ବରେ ସଭାରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଓ ବିଶିଷ୍ଟ ଶିକ୍ଷାବିତ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ପୁସ୍ତକ ପଠନ ଅଭ୍ୟାସ ମାନବୀୟ ଭାବବୋଧର ଦ୍ବେତକ ବୋଲି ମତ ପ୍ରକାଶ କରିଥିଲେ । ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାର ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ଶତପଥୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଲେଖକ ପରିଷଦର ସହ ସଂପାଦକ ରଘୁନନ୍ଦନ ସିଂହ ସଭା ସଂଯୋଜନା କରିଥିଲେ । ଶେଷରେ ଗୋପାଳ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଶ୍ବେତା ମହାନ୍ତିଙ୍କ ସଂଯୋଜନାରେ ସାଇ ଅଂଚିକା ତନ୍ତୀ ଓଡିଶୀ ନୃତ୍ୟ, ଦିବ୍ୟାଂଶୀ ବାଗ ଲୋକନୃତ୍ୟ, ଆଶ୍ମି ମିଶ୍ର ଓ ଦଳ, ପତିତପାବନ ଏକାଡେମୀର ଛାତ୍ରମାନେ ଓ ପୁରୀର ଗୋଟିପୁଅ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.