ସାବିତ୍ରୀ ଅମାବାସ୍ୟା ଦିନ ବ୍ୟାପକ ବନ୍ଦୋବସ୍ତ ସତ୍ତ୍ୱେ ପୁରୀ ଜିଲ୍ଲା ପ୍ରଶାସନ ଫେଲ ମାରିଲା : ଯୋଗାଇ ହେଲା ନି ଅବଢ଼ା

  • କୋରନା କଟକଣା ଭାଙ୍ଗି ରୁଣ୍ଡ ହେଲେ ଶହ ଶହ ଲୋକେ
    ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜଗନ୍ନାଥଧାମ ପୁରୀରେ ସାବିତ୍ରୀ ଅମାବାସ୍ୟାକୁ ଆଖି ଆଗରେ ରଖି ମହାପ୍ରସାଦ ବିକ୍ରୟ ନେଇ ଅଣ୍ଟା ଭିଡିଥିଲା ପୁରୀ ଜିଲ୍ଲା ପ୍ରଶାସନ । ହେଲେ ଅସଲ ବେଳକୁ ସବୁ ଅବ୍ୟବସ୍ଥା ପଦାରେ ପଡିଛି । ଲୋକେ ଘଂଟା ଘଂଟା ଧରି ଟୋକନ ଧରି ଛିଡା ହୋଇଥିବା ବେଳେ ସେମାନଙ୍କୁ ଅବଢ଼ା ମିଳି ପାରିଲା ନାହିଁ । ଯାହାକୁ ନେଇ ଢ଼େର ସମୟ ପର୍ୟ୍ୟନ୍ତ ଶହ ଶହ ଲୋକେ ରୁଣ୍ଡ ହୋଇ ହୋ ହାଲ୍ଲା କରିଥିଲେ । ମୋଟାମୋଟି ଭାବେ ଜିଲ୍ଲା ପ୍ରଶାସନ ଏକା ଏକା ଶ୍ରେୟ ନେବା ଆଳରେ ଏକ ବିପଦଜନକ ସ୍ଥିତି ତିଆରି କଲା ବୋଲି ଏବେ ଆଲୋଚନା ହେଉଛି ।

ସାବିତ୍ରୀ ଅମାବାସ୍ୟାରେ ବ୍ରତଧାରୀ ମହିଳା ମହାପ୍ରସାଦ ଭୋଜନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନ ଶ୍ରୀମନ୍ଦିର ବାହାରେ ଯଥେଷ୍ଟ ଭିଡ ହେବାର ଆଶଙ୍କା ରହିଥିଲା । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଗତକାଲି ଗଣମାଧ୍ୟମକୁ କୁହାଯାଇଥିଲା । ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ୧୦ଟି ଲେଖାଏଁ କାଉଣ୍ଟର କରି ଦିନ ୧୧ଟା ପରଠାରୁ ଟୋକନ ଦିଆଯିବ ବୋଲି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ଶୃଙ୍ଖଳିତ ଭାବେ ସମସ୍ତଙ୍କୁ ମହାପ୍ରସାଦ ବଂଟନ କରାଯିବା ନେଇ ବ୍ୟବସ୍ଥା ହୋଇଥିବା ଜିଲ୍ଲା ପ୍ରଶାସନ କହିଥିଲା । ଏପରିକି ଅସ୍ଥାୟୀ ସେଡରେ ଚେୟାର ପକାଇ ଲୋକଙ୍କୁ ବସାଇବାର ବ୍ୟବସ୍ଥା ହୋଇଥିଲେ ବି ଲୋକସଂଖ୍ୟା ବଢ଼ିବା ହେତୁ ତାହା ଆଉ କାମରେ ଲାଗି ନଥିଲା । ଲୋକେ ସବୁ ନିୟମ ଭୁଲି ପୁଲିସ ଉପସ୍ଥିତିରେ ଉତ୍ତର ଓ ଦକ୍ଷିଣ ଦ୍ୱାର ସାମ୍ନାରେ ଘଂଟା ଘଂଟା ଧରି ଏକାଠି ହୋଇଥିଲେ । ପୁଲିସ ସବୁ ଦେଖିଥିଲେ ବି ଚୁପ ଚାପ ରହିଥିଲା । ଏମିତିକି ଜିଲ୍ଲା ପ୍ରଶାସନର କୌଣସି ବରିଷ୍ଠ ଅଧିକାରୀ ଢ଼େର ସମୟ ଯାଏଁ ଦେଖା ଦେଇନଥିଲେ ।

ମୋଟାମୋଟି କହିବାକୁ ଗଲେ କୋଭିଡ ନିୟମ ସବୁ ଚୁଲିକି ଯାଇଥିଲା । ଲୋକେ ସାମାଜିକ ଦୂରତା ଭୁଲି ଅବଢ଼ା ନେବାକୁ ଏକାଠି ହୋଇଥିଲେ । କାଉଣ୍ଟରରୁ ଟୋକନ ଆଣି ବି ଦୀର୍ଘ ସମୟ ଯାଏଁ ଲୋକଙ୍କୁ ଅବଢ଼ା ମିଳିନଥିଲା । ହେଲେ ନିୟମ ଭାଙ୍ଗି କିଛି ବ୍ୟକ୍ତି ଶ୍ରୀମନ୍ଦିର ଭିତରୁ ଅବଢ଼ା ଆଣିଥିବାର ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଉତ୍ତେଜନା ବଢ଼ିଥିଲା । ପାର୍କିଂ, ବ୍ୟାରିକେଡ, କୋଭିଡ ଗାଇଡଲାଇନ ସବୁର ଧଜିଆ ଉଡାଇ ଲୋକେ ଗହଳି କଲେ । ଯାହା ଦେଖିଲେ ଜିଲ୍ଲା ପ୍ରଶାସନର ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।

Leave A Reply

Your email address will not be published.