jayashree

ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାଇକଲ ଚାଳିକା ସ୍ୱସ୍ତି ସିଂହ ୨୦୨୨ ବର୍ଷ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ । ରବିବାର ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ବିଚାରକ କମିଟି ବୈଠକରେ ସର୍ବସମ୍ମତି କ୍ରମେ ସ୍ୱସ୍ତିଙ୍କୁ ୩୦ତମ ଏକଲବ୍ୟ ପୁରସ୍କାରର ବିଜେତା ଘୋଷଣା କରାଯାଇଛି । ସ୍ୱସ୍ତି ୨୦୨୦ ଏପ୍ରିଲ ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ଏକାଧିକ ଜାତୀୟ ପ୍ରତିଯୋଗିତାରେ ଦେଶ ପାଇଁ ୨ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ଜିତିଛନ୍ତି । ପୁରସ୍କାର ବାବଦରେ ସ୍ୱସ୍ତିଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ । ଏଥିସହ ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ ଖେଳାଳି ପ୍ୟାରୀ ଖାଖା ଓ ଅନ୍ତର୍ଜାତୀୟ ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ଉପବିଜେତା ଘୋଷଣା କରାଯାଇଛି । ଉଭୟଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ଦ୍ୱାରା ସମ୍ମାନିତ କରାଯିବ । ଇମ୍ଫା ପରିଚାଳିତ ଇଣ୍ଡିଆନ୍ ମେଟାଲ୍‌ସ ପବ୍ଲିକ ଚାରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ) ଦ୍ୱାରା ୧୯୯୩ରେ ଏକଲବ୍ୟ ପୁରସ୍କାର ଆରମ୍ଭ ହୋଇଥିଲା । କ୍ରୀଡ଼ା କ୍ଷେତ୍ରରେ ଗତ ୨ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ ଇମ୍ପାକ୍ଟର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡାବିତ୍‌ଙ୍କୁ ପ୍ରୋତ୍ସାହନ କରିବା ଆମର ମୂଳ ଲକ୍ଷ୍ୟ ।

Leave A Reply

Your email address will not be published.