ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମିଳିଲା ‘ପ୍ରକୃତି ବନ୍ଧୁ’ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ବଲାଙ୍ଗିର ବିଜାଖମନ ମେଗା ନର୍ସରୀଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପରିବେଶ ଦିବସରେ ବଲାଙ୍ଗିର ବ୍ଲକ ନିମନ୍ତେ ବରକାନି ଗ୍ରାମର ମୂଳବାସିନ୍ଦା ତଥା ପରିବେଶ ପ୍ରେମୀ, ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ପରିବେଶ ସୁରକ୍ଷା ଓ ବନ୍ୟପ୍ରାଣୀ ସୁରକ୍ଷା, ପାରମ୍ପରିକ ଜଳାଶୟର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନଜନକ ‘ପ୍ରକୃତି ବନ୍ଧୁ’ ପୁରସ୍କାର ପ୍ରଦାନ କରାଯାଇଛି । ସେ ପୂର୍ବରୁ ପରିବେଶ ସୁରକ୍ଷା ପାଇଁ ମୟୁରଭଞ୍ଜରେ ଶିମିଳିପାଳ ଶ୍ରୀ ସମ୍ମାନ ସହ ବଲାଙ୍ଗିରରେ ବିଜୁ ପଟ୍ଟନାୟକ ୱାଇଲଡ୍ ଲାଇଫ ପୁରସ୍କାର – ୨୦୧୯, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହେବା ସହ ସମ୍ବନ୍ଧିତ ହୋଇଛନ୍ତି । ଅନେକ ଥର ପ୍ଲାଷ୍ଟିକ ବର୍ଜନ, ଜୈବ ବିବିଧତା ଓ ମୃତ୍ତିକା ସଂରକ୍ଷଣ ଭଳି ବହୁ ବିଧ ପରିବେଶ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅନୁମୋଦନ କ୍ରମେ ଶ୍ରୀ ଭଞ୍ଜଙ୍କୁ ପ୍ରକୃତି ବନ୍ଧୁ ଭାବେ ଚୟନ କରାଯାଇ ପୁରସ୍କୃତ କରାଯାଇଛି । ଜିଲ୍ଲା ପରିବେଶ ସମିତି ପକ୍ଷରୁ ବଲାଙ୍ଗିର ସହର ସ୍ଥିତ ମେଗା ନର୍ସରୀଠାରେ ଅନୁଷ୍ଠିତ ବିଶ୍ଵ ପରିବେଶ ଦିବସରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ଖିଲାରୀ ଋଷିକେଶ ଦ୍ୟାନ୍‌ଦେଓ, ବିଭାଗୀୟ ବନ ଅଧିକାରୀ ନିତିଶ କୁମାର, କେନ୍ଦୁଲିଫ୍ ଡିଏଫ୍‌ଓ ରଞ୍ଜିତ କୁମାର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୁରସ୍କାର ସ୍ୱରୂପ ଶ୍ରୀ ଭଞ୍ଜଙ୍କୁ ମାନପତ୍ର, ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.