ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭଗବାନ ବିଶ୍ୱକର୍ମା ଏ ବିଶ୍ୱର ନିର୍ମାଣ କର୍ତ୍ତା । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତି ଦିନ ମର୍ତ୍ତ୍ୟ ମଣ୍ଡଳରେ ଆବିର୍ଭୂତ ହୋଇଥିଲେ । ଭଗବାନ ବିଶ୍ୱକର୍ମା ସ୍ୱୟଂ ବଢ଼େଇ ରୂପରେ ଭକ୍ତ ମନୋବାଞ୍ଛା ପୂରଣ କରିବା ପାଇଁ ଆସି ଜଗନ୍ନାଥଙ୍କ ବିଗ୍ରହ ଗଢ଼ିଥିଲେ । ଆମ ଓଡ଼ିଶାରେ ତେଣୁ ଏହି ବୁଢ଼ା ବଢ଼େଇ ରୂପକୁ ହିଁ ବିଶ୍ୱକର୍ମାଙ୍କ ରୂପ ବୋଲି ଗ୍ରହଣ କରି ପୂଜାର୍ଚ୍ଚନା କରାଯାଇଥାଏ । ଏହି ଅବସରରେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ସୁସଜ୍ଜିତ ମେଢ଼ରେ ଭଗବାନ ବିଶ୍ୱକର୍ମାଙ୍କ ମାଟିର ମୃଣୟମୂର୍ତ୍ତି ସ୍ଥାପନ କରାଯାଇ ପୂଜକ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ବିଡ଼ିଓ କ୍ଷିତୀଶ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, କନିଷ୍ଠ ଯନ୍ତ୍ରୀ ସ୍ଵାଗତିକା ପ୍ରଧାନ, ଏବିଡ଼ିଓ, ଜେଇ, ସମସ୍ତ ବ୍ଲକ ଷ୍ଟାପ ଏବଂ ନଳକୂପ ମିସ୍ତ୍ରୀ ଅଶୋକ ପ୍ରଧାନଙ୍କ ସମେତ ସବୁ ପଂଚାୟତର ନଳକୂପ କାରିଗରମାନେ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ବିଭୁକୃପା ଲାଭ କରିଥିଲେ । ସେହିପରି ଡେଲାଙ୍ଗ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସ୍ଥିତ ପୂଜା ମଣ୍ଡପରେ ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟୁତ ବିଭାଗୀୟ ଏସ୍ଡ଼ିଓ ରାକେଶ କୁମାର ପଟ୍ଟନାୟକ, ଡେଲାଙ୍ଗ ବିଦ୍ୟୁତ ବିଭାଗର ଏସ୍ଆଇ ଅମରେନ୍ଦ୍ର ବେହେରା, ଏସ୍ଆର୍ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ, ଅଜୟ ନାୟକଙ୍କ ସମେତ ନୟମିତ ଓ ଅବସରପ୍ରାପ୍ତ ଷ୍ଟାପ ଉପସ୍ଥିତ ରହି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ବୈଷୟିକ ଅନୁଷ୍ଠାନରେ ମଧ୍ୟ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଛି ।