jayashree

ପୁଅ ଜିଉଁତିଆ ଓଷା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଟାସିଂହା, କଣ୍ଟାପାଲି, ତେନ୍ତୁଳି ଗାଁ, ଡୁଙ୍ଗୁରିପାଲି, ସେମିଲିମୁଣ୍ଡାଠାରେ ପୁଅ ଜିଉଁତିଆ ଓଷା ପାଳିତ ହୋଇଯାଇଛି । ପୁଅମାନଙ୍କର ମଙ୍ଗଳ ତଥା ଦିର୍ଘାୟୁ କାମନା କରି ମା’ ମାନେ ଆଶ୍ଵିନ କୃଷ୍ଣପକ୍ଷ ଅଷ୍ଟମୀ ତିଥରେ ଏହି ଓଷା ପାଳନ କରିଥାନ୍ତି । ଏହି ଓଷାରେ ମହିଳାମାନେ ଦିନ ସାରା ସଂପୁର୍ଣ୍ଣ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ ଗାଁର ପୋଖରୀକୁ ଯାଇ ଗାଧୋଇ ସେଠାରେ ପୂଜା କରିଥାନ୍ତି । ସନ୍ଧ୍ୟାରେ ଗାଁ ମଝିରେ ସମସ୍ତେ ଏକାଠି ହୋଇ ଦୁତିବାହନ ପୁଜା କରିଥାନ୍ତି । ଓଷା କରିଥିବା ମହିଳାମାନେ ୧୦୮ ଅରୁଆ ଚାଉଳ, ୧୦୮ ଦୁବ, କାକୁଡି, ଅଁଳା ଡାଲ, ଅନ୍ୟାନ୍ୟ ୨୧ ପ୍ରକାର ଫଳମୁଳ ଓ ଲିଆରେ ଜୁଗାର ତିଆରି କରି ଦୂତି ବାହାନଙ୍କ ପାଖରେ ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି । ତା’ ପରଦିନ ଭୋର ସକାଳରୁ ମା’ମାନେ ଗାଁର ପୋଖରୀକୁ ଗାଧୋଇ ଯାଇ ସେଠାରେ ବାଲି ବେଦିରେ ସାଲ କାଠି ପୋତି କାକୁଡି ଚକି ଦେଇ ଘାଟପୁଜା କରିବା ପରେ ଘରେ ପୁଅମାନଙ୍କୁ ବନ୍ଦାପନା କରି ଦୁବ ଓ ଜିଉଁତିଆ ବିଡାକୁ ପୁଅମାନଙ୍କ ମଣ୍ଡରେ ସାତଥର ଛୁଆନ୍ତି ଓ ଦିର୍ଘାୟୁ ହେବାର ଆଶୀର୍ବାଦ କରିଥାନ୍ତି । ପୁତ୍ରଲାଭ ଆଶାରେ ଅପୁତ୍ରିକ ମହିଳାମାନେ ମଧ୍ୟ ଏହି ବ୍ରତ କରିଥାନ୍ତି । ଏହି ଅଷ୍ଟମୀ ତିଥିରେ ଗାଁର ମଧ୍ୟ ଭାଗରେ ପୂଜା କରାଯାଏ । ଏହି ପରମ୍ପରା କାହିଁ କେଉଁ କାଳରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ସେହି ନିଷ୍ଠାରେ ମହିଳାମାନେ ବ୍ରତ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.