ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶରେ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗ୍ରହ କ୍ରମେ “ସାଂସଦ ଖେଳ ମହୋତ୍ସବ” ପ୍ରାରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ ରୂପାନ୍ତର କରିବା ପାଇଁ ଆଜି ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ରାଉରକେଲା ଓ ରଘୁନାଥପଲ୍ଲୀ ବିଧାନ ସଭା କ୍ଷେତ୍ରର ଖେଳ ମହୋତ୍ସବ ସକାଶେ ଏକ ପ୍ରେସମିଟ ସେକ୍ଟର -୫, ରାଉରକେଲା ସ୍ଥିତ ପାନ୍ଥ ନିବାସ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା । ରାଉରକେଲା ସାଙ୍ଗଠନିକ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଉପସ୍ଥିତ ସାମ୍ବାଦିକ ଭାଇ ଭଉଣୀମାନଙ୍କୁ ସମ୍ବୋଧିତ କରି କହିଲେ ଯେ, ଖେଳ ମାଧ୍ୟମରେ ତୃଣମୂଳ ସ୍ତରରେ ଲୁକ୍କାୟିତ ପ୍ରତିଭା ଚୟନ ଓ ଯୁବ ନେତୃତ୍ୱକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଖେଳ ମହୋତ୍ସବରେ ମୁଖ୍ୟ ଉଦ୍ଦେଶ୍ୟ । ଏହି ଖେଳ ମହୋତ୍ସବ ରାଷ୍ଟ୍ର ପ୍ରେମ ଜାଗୃତି କରିବା ସହିତ ଏକ ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ । ଏହି ପ୍ରତିଯୋଗିତା ପଞ୍ଚାୟତ ସ୍ତରରେ, ବ୍ଲକରେ ଆରମ୍ଭ ହୋଇ ସାରିଛି ଓ ଏହା ବିଧାନ ସଭା କ୍ଷେତ୍ରର ଚୟନ କରାଯାଇ ଜିଲ୍ଲା ସ୍ତରରେ ପ୍ରତିଭାମାନେ ଖେଳି ନିଜର ପ୍ରତିଭା ପ୍ରତିପାଦନ କରିପାରିବେ । ଏହି ଖେଳ ରାଉରକେଲା ବିଧାନ ସଭା କ୍ଷେତ୍ରର ଡିସେମ୍ବର ୮ ଓ ୯ ଏବଂ ରଘୁନାଥପଲ୍ଲୀ ବିଧାନ ସଭା କ୍ଷେତ୍ରର ଡିସେମ୍ବର ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ୧୨ରୁ ୧୬ ବର୍ଷ ଓ ୧୭ରୁ ୨୪ ବର୍ଷ ପୁଅ ଓ ଝିଅମାନେ ଅଂଶ ଗ୍ରହଣ କରିବେ । ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ସୁନ୍ଦରଗଡ ଠାରେ ଡିସେମ୍ବର ୧୩ରୁ ୧୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଏହି ଖେଳରେ ୧୫ଟି ଖେଳ ଯଥା ଆଥେଲେଟିକ, ବ୍ୟାଡମିଣ୍ଟନ, ଫୁଟବଲ, ବକ୍ସିଂ, କବାଡି, ଖୋଖୋ, ଭଲିବଲ, ହକି, ହେଣ୍ଡ ବଲ, ଆର୍ଚେରୀ, ସାଇକ୍ଲିଙ୍ଗ, ରଙ୍ଗୋଲି, ପୁଚି, ଦଉଡ଼ି ଡିଆଁ, ଯୋଗ ଆଦି ଖେଳ ରହିଛି । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଏକ ମଶାଲ ଶୋଭାଯାତ୍ରା ବଣାଇର କୋଇଡାରୁ ଆରମ୍ଭ ହୋଇଛି । ଏହା ଚଳିତ ମାସ ୮ ତାରିଖରେ ରାଉରକେଲା ପହଞ୍ଚି ସୁନ୍ଦରଗଡରେ ଡିସେମ୍ବର ୧୩ ତାରିଖରେ ପହଞ୍ଚିବ । ସୁନ୍ଦରଗଡ ଖେଳର ଏନ୍ତୁଡିଶାଳ ଏହା ଆମ କ୍ଷେତ୍ର ପାଇଁ ଗର୍ବ ଓ ଗୌରବର ସମୟ । ଏଣୁ ଆମେ ସମସ୍ତେ ଏହାକୁ ସଫଳାୟନ କରିବା ପାଇଁ ସମସ୍ତ ସାହାଯ୍ୟ ଓ ସହଯୋଗ କରିବା । ଏହି ମହୋତ୍ସବ ସମସ୍ତଙ୍କର ଏହା କୌଣସି ଦଳର ନୁହ, ଏଣୁ ଦଳ ମତ ନିର୍ବିଶେଷରେ ସମସ୍ତେ ଅଂଶ ଗ୍ରହଣ କରି ପାରିବେ । ରାଉରକେଲା ସଂଯୋଜକ ପ୍ରକାଶ ପାଶୱାନ ଓ ରଘୁନାଥପଲ୍ଲୀ ସଂଯୋଜକ ମନୋରଞ୍ଜନ ମୁନି ନିଜ କ୍ଷେତ୍ରର ସ୍ଥାନ ଓ ତାରିଖ ଉପରେ ଅବଗତ କରାଇ ଥିଲେ । ଆଥେଲେଟିକ, କବାଡି, ଯୋଗ, ରୋପ ଜମ୍ପ, ପୁଚି, ରଙ୍ଗୋଲି ଆଦି ଖେଳ ବିର୍ସା ମୁଣ୍ଡା ଆଥେଲେଟିକ ଷ୍ଟାଡିୟମରେ, ବ୍ୟାଡମିଣ୍ଟନ ଓ ହକି ପାନପୋଷରେ, ଭଲିବଲ ସେକ୍ଟର ୨୦ ରାଇଜିଂ କ୍ଲବରେ, ସାଇକ୍ଲିଂ ପାନପୋଷରୁ ବିର୍ସା ମୁଣ୍ଡା ଆଥେଲେଟିକ ଷ୍ଟାଡିୟମ୍, ବକ୍ସିଂ ସେକ୍ଟର ୨୦ ରାଉରକେଲା କ୍ଲବ, ହାଣ୍ଡ ବଲ ଓ ଆର୍ଚେରୀ ବିର୍ସା ମୁଣ୍ଡା ଆଥେଲେଟିକ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଖେଳ ପ୍ରତିଦିନ ସକାଳ ୮ ଘଟିକାରୁ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ରାଉରକେଲାରୁ ଅନଲାଇନ ୩୫୦୦ ପଞ୍ଜୀକରଣ କରିଥିବା ବେଳେ ଅଫ ଲାଇନରେ ୧୦୦୦ ଓ ରଘୁନାଥପଲ୍ଲୀରୁ ଅନଲାଇନରେ ୨୦୧୭ ଓ ଅଫ ଲାଇନରେ ୫୦୦ ପଞ୍ଜୀକରଣ କରିଥିବା ସୂଚନା ଦେଇଥିଲେ । ଅଂଶ ଗ୍ରହଣ କରୁଥିବା ଖେଳାଳି ମାନଙ୍କ ପାଖରେ ଏହି ଖବର କିପରି ଭାବରେ ପହଞ୍ଚି ପାରିବ ସେଥି ପାଇଁ ମିଡ଼ିଆ ଭାଇ ଓ ଭଉଣୀମାନେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ରାଉରକେଲା ସହ ସଂଯୋଜକ ଲାଖନ ଲୋହାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post