
• ଫୁଲଗଛ ମୂଳରେ ଜଳ ଦେଇ ଏକ ନିଆରା ଢ଼ଙ୍ଗରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ହେଲା ଉନ୍ମୋଚନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ ଉଦ୍ଭିଦ ହିଁ ଜୀବନ” ଏଣୁ ଏକ ଫୁଲକୁଣ୍ଡରେ ଲାଗିଥିବା ଗଛମୂଳରେ ଜଳଦାନ କରି ଜାତୀୟ ପ୍ରେସ୍ ଦିବସ ଅବସରରେ ମୁଖ୍ୟଅତିଥିଙ୍କ ଦ୍ଵାରା କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିବା ଗଞ୍ଜାମ ଜିଲ୍ଲା ଏକ ନିଆରା ପରମ୍ପରାର ପରିଚୟ ସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲା ରାଜସ୍ୱ ବିଭାଗ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି ପାରମ୍ପରିକ ବିଧାନକୁ ଆପଣାଇ ଏହାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ସାମାରୋହରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ପ୍ରାରମ୍ଭରେ ମୁଖ୍ୟଅତିଥି ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସାମାରୋହ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଛତ୍ରପୁର ପ୍ରେସ୍ କ୍ଲବ୍ର ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ଅନୁରୋଧ କ୍ରମେ ବରିଷ୍ଠ ସାମ୍ବାଦିକ କୃପାସିନ୍ଧୁ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ଦୁଇମିନଟ ନୀରବ ପ୍ରାର୍ଥନା କରି ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା” ଉକ୍ତି ଉପରେ ଆୟୋଜିତ ଆଲୋଚନାଚକ୍ରରେ ଗଞ୍ଜାମ ଜିଲ୍ଲାସ୍ତରରେ ଅବସ୍ଥାପିତ ପ୍ରମୁଖ ସାମ୍ବାଦିକମାନେ ଏହି ତର୍କରେ ଅଂଶଗ୍ରହଣ କରି ସାମ୍ବାଦିକମାନଙ୍କ ଭୂମିକା, ସମାଜର ଅବଦାନ ଏବଂ ସେମାନଙ୍କ ବିବିଧ ସମସ୍ୟା ଉପରେ ସରକାରଙ୍କୁ ଅବଗତ କରାଯାଇଥିଲା । ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ନିଜ ବକ୍ତବ୍ୟରେ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟମାନ ପ୍ରଦାନ କରିଥିଲେ । ଆଜିର ଦିନରେ ସମ୍ବାଦ ବା’ ଖବର ଅତି କ୍ଷିପ୍ର ଗତିରେ ଜନସାଧାରଣଙ୍କ ନିକଟରେ ସାମ୍ବାଦିକମାନେ ଖବର ପହଞ୍ଚାଉଛନ୍ତି । ଏଦିଗରେ ସାମ୍ବାଦିକମାନଙ୍କ ବଳିଷ୍ଠ ଭୂମିକା ଗ୍ରହଣ ଅତ୍ୟନ୍ତ ପ୍ରଶଂସନୀୟ ଅଟେ । ଯାହାକି ତୃଣମୂଳସ୍ତରରେ ରହି ସାମ୍ବାଦିକମାନେ କାର୍ଯ୍ୟ ସମ୍ପାଦନା କରି ଆସିବା ପ୍ରତ୍ୟେକ ସାମ୍ବାଦିକଙ୍କ ଏକ କଳା ପ୍ରଦର୍ଶନ ସ୍ୱରୂପ ବୋଲି ବିବେଚନା କରିଛନ୍ତି । ସମ୍ବାଦ ପ୍ରକାଶନ ସମାଜର ସଂସ୍କାର ସୃଷ୍ଟି ଦିଗରେ ସମ୍ବାଦପତ୍ର ବା ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ଶ୍ରୀ ପୃଷ୍ଟି କହିଛନ୍ତି ।
ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡା ଯୋଗଦେଇ ସମ୍ବାଦ ପରିବେଷଣ ସମୟରେ ତୃଣମୂଳ ସ୍ତରରୁ ସତ୍ୟାସତ୍ୟ ଅନୁସନ୍ଧାନ କରି ପ୍ରକୃତ ସତ୍ୟ ପ୍ରକାଶିତ ହେଲେ ତାହା ହିଁ ସମାଜର ପରିବର୍ତ୍ତନ ହେବ ଏବଂ ଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସୂଚାଇଥିଲେ । ସାମ୍ବାଦିକ ମାନଙ୍କୁ ପରିଚୟ ପତ୍ର ଦେଇ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିଥିବା ଯୋଗୁଁ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁକ୍ତ ଓ ଅବାଧ ଗଣମାଧ୍ୟମ ନ ରହିଲେ ସ୍ଵେଚ୍ଛାଚାରିତା ବୃଦ୍ଧି ପାଇବ । ଫଳରେ ରାଷ୍ଟ୍ରରେ ଅନେକ କ୍ଷୟ କ୍ଷତି ଘଟିବ ବୋଲି ଛତ୍ରପୁର ପ୍ରେସ କ୍ଲବ୍ର ଉପଦେଷ୍ଟା ଶ୍ରୀକାନ୍ତ ମହାନ୍ତି ମତବ୍ୟକ୍ତ କରିଥିଲେ । ବରିଷ୍ଠ ସାମ୍ବାଦିକ ନାରାୟଣ ମହାଙ୍କୁଡ (ବ୍ରହ୍ମପୁର ) ଯୋଗ ଦେଇ କହିଥିଲେ ଯେ, ୧୯୬୬ ମସିହା ନଭେମ୍ବର ୧୬ ତାରିଖରୁ ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ କାର୍ଯ୍ୟକାରୀ ହେଲା । ସେହି ଦିନକୁ ଜାତୀୟ ପ୍ରେସ୍ ଦିବସ ରୂପେ ପାଳନ କରାଯାଉଛି । ସମାଜର ବିକାଶରେ ସମ୍ବାଦପତ୍ର ବା ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସାମ୍ବାଦିକମାନଙ୍କ ମଧ୍ୟରେ ଏକତା ଓ ଭାଇଚାରା ରହି ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଉଚିତ । ଆଜି ଗଣମାଧ୍ୟମ ସହ ଜଡିତ ସମସ୍ତଙ୍କୁ ଆତ୍ମ ସମୀକ୍ଷା କରିବାର ବେଳ ଆସିଛି ବୋଲି ସେ କହିଥିଲେ । ଛତ୍ରପୁର ପ୍ରେସ କ୍ଲବ୍ର ଉପଦେଷ୍ଟା ବସନ୍ତ କୁମାର ମହାରଣା, ଉପସଭାପତି ସୁଧୀର କୁମାର ନାହାକ, ସନ୍ତୋଷ କୁମାର ମିଶ୍ର, ବିସ୍ମୟ ପ୍ରଧାନ, କେ.ସତ୍ୟନାରାୟଣ ରେଡ୍ଡୀ, ଇଜୁ ଆମିନ୍ ଖାନଙ୍କ ସମେତ ସମସ୍ତ ସାମ୍ବାଦିକ ବନ୍ଧୁଗଣ ଉକ୍ତ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ତେଣୁ କାର୍ଯ୍ୟ କରୁଥିବା ପ୍ରକାଶନ ସଂସ୍ଥା ଏବଂ ସରକାର ମଧ୍ୟ ସାମ୍ବାଦିକମାନଙ୍କ ସୁରକ୍ଷା ଦିଗରେ ଚିନ୍ତା, ପ୍ରୟାସ କରିବା ଆବଶ୍ୟକ ବୋଲି ସମସ୍ତେ ମତପ୍ରକାଶ କରିଛନ୍ତି । ସାମ୍ବାଦିକମାନେ ହେଉଛନ୍ତି, ସମାଜର ଜାଗ୍ରତ ପ୍ରହରୀ । ଏଣୁ ବ୍ୟାବସାୟିକ ପ୍ରତିଯୋଗିତା ଠାରୁ ଦୂରରେ ରହି ସମ୍ବାଦ ପରିବେଷଣ କରି ପ୍ରଗତିଶୀଳ ମାନସିକତାରେ ପରିବର୍ତ୍ତନ କରିପାରିଲେ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନଙ୍କର ମାନବୃଦ୍ଧି ଘଟିବ ବୋଲି ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପାଢୀ କହିଛନ୍ତି । ପରିଶେଷରେ ପ୍ରେସ କ୍ଲବର ସମ୍ପାଦକ ଶ୍ରୀ ପାଢ଼ୀ ଆନୁଷ୍ଠାନିକ ଭାବେ ସଭିଙ୍କୁ ଧନ୍ୟବାଦ ଦେଇଛନ୍ତି । ସମାଜସେବୀ ଅରୁଣ କୁମାର ଶତପଥୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।