ଅଣ୍ଡାଲଦରୋର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା

  • ତୁରେକେଲାର ଜଣେ ୨ସନ୍ତାନର ବାପା କୋର୍ଟ ଚାଲାଣ, ଜେଲ ଗଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଂଚଳରେ ପୁଣି ଏକ ଲଭ୍, ସେକ୍ସ ଓ ଧୋକା ମାମଲା ଘଟଣା ଜଣାପଡିଛି । ଏହି ଥାନା ବଡସାଇମରା ପଞ୍ଚାୟତ ଅଣ୍ଡାଲଦରୋ ଗ୍ରାମର ଜଣେ ଯୁବତୀ(୧୮)ଙ୍କୁ ପ୍ରେମ ଜାଲରେ ଫସାଇ ପ୍ରଥମେ ଅପହରଣ ଓ ପରେ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ତୁରେକେଲା ଥାନା ଗରଗଡବାହାଲ ଗ୍ରାମର ସଞ୍ଜୀବ ମାଝୀ(୨୯)ଓରଫ ଡାକପତି ନାମକ ଜଣେ ବିବାହିତ ଯୁବକଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ଅଣ୍ଡାଲଦରୋ ଗ୍ରାମର ଜଣେ ବିଧବା ମହିଳାଙ୍କ ୧୮ବର୍ଷୀୟା ଯୁବତୀ ଝିଅ ଗତ ୨୨/୦୯/୨୪ରୁ ନିଖୋଜ ଥିବା ନେଇ ତାଙ୍କ ମାଆ ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ । ପୁଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିଲା । ବିଧବା ମହିଳା ଜଣଙ୍କ ତାଙ୍କ ଝିଅଙ୍କୁ ଗରଗଡବାହାଲ ଗ୍ରାମର ସଞ୍ଜୀବ ଓରଫ ଡାକପତି ପ୍ରେମରେ ଫସାଇ ଅପହରଣ କରିନେଇଥିବା ପୁଣି ଅଭିଯୋଗ କରିଥିଲେ । ପୁଲିସ୍ ଅଭିଯୁକ୍ତଙ୍କୁ ଆଣି ଅଧିକ ତଦନ୍ତ ପରେ ପ୍ରକୃତ ଘଟଣା ଉପରୁ ପରଦା ଉଠିଥିଲା । ତୁରେକେଲା ଥାନା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ଜଣେ ସମ୍ପର୍କୀୟଙ୍କ ଘରକୁ ଯିବା ଆସିବା ଭିତରେ ସଞ୍ଜୀବ ଓ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେ ଯୁବତୀଙ୍କୁ ଅବିବାହିତ ଥିବା କହି ପ୍ରେମ ସମ୍ପର୍କ ରଖିଥିଲା । ଯୁବତୀଙ୍କୁ ନେଇ ସେ ରାୟପୁରରେ ରଖିଥିଲା । ଏହାରି ଭିତରେ ସଞ୍ଜୀବ ଯୁବତୀଙ୍କ ସହ ପ୍ରେମ ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ଯୁବତୀ ଜଣଙ୍କ ସଞ୍ଜୀବ ଜଣେ ବିବାହିତ ଯୁବକ ହୋଇଥିବା ବେଳେ ଘରେ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନ ଥିବା ଜାଣିପାରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥଲା । ଯୁବତୀ ଜଣଙ୍କ ସଞ୍ଜୀବଙ୍କୁ ଛାଡି ରାୟପୁରରୁ ଟ୍ରେନରେ ମୁରିବାହାଲ ଚାଲି ଆସିଥିଲେ । ଯୁବତୀ ପହଞ୍ଚିବା ପରେ ସବୁ ସତକଥା ଜଣାପଡ଼ିଥିଲା । ଏହି ମାମଲାରେ ପୁଲିସ୍ ସମ୍ପୃକ୍ତ ଅଭିଯୁକ୍ତ ଯୁବକ ସଞ୍ଜୀବଙ୍କୁ ଗିରଫ କରି କେସ ନଂ ୩୨୦/୨୪ ରୁଜ୍ଜୁ କରି ଅଧିକ ତଦନ୍ତ ପରେ କୋର୍ଟ ଚାଲାଣ କରିଥିବା ଥାନା ଏସ୍‌ଆଇ ପ୍ରମୋଦ କୁମାର ପଧାନ ପ୍ରକାଶ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.