- ବାଲେଶ୍ୱର ଜିଲ୍ଲାର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ
ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାକୁ ନେଇ ଜୋନ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଟିଇ ଓ ଏସସିଇଆରଟି, ଓଡିଶା, ଭୁବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ବାରିପଦା ସ୍ଥିତ ସହୀଦ ସ୍ମୃତି ଭବନ ପରିସରରେ ଜୋନ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂହ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଯୋଗ ଦେଇଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ମଞ୍ଚାସୀନ ଅତିଥିମାନଙ୍କ ଅତିଥି ପରିଚୟ ଓ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ନାଟକର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଥିଏଟର ଅଭିନେତା ଓ ନିର୍ଦ୍ଦେଶକ କୁମରମଣି ନାୟକ, ଥିଏଟର ଓ ଫିଲ୍ମର ଅଭିନେତା ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ, ଥିଏଟର ଓ ଫିଲ୍ମର ଅଭିନେତା ଓ ନିର୍ଦ୍ଦେଶକ ଧୀର ବସା, ନୃତ୍ୟ ପ୍ରଶିକ୍ଷକ ଲିଟନ ପଟ୍ଟନାୟକ, ନୃତ୍ୟ ଶିଳ୍ପୀ ରିଚା ବାରିକ, ନୃତ୍ୟ ଶିକ୍ଷକ ଅରୂପାନନ୍ଦ ମହଲା ପ୍ରମୁଖ ଯୋଗ ଦେବା ସହିତ ପ୍ରତିଯୋଗିତା ର ବିଚାରକ ଭାବେ ମଧ୍ୟ ଯୋଗ ଦେଇଥିଲେ । ପ୍ରତିଯୋଗିତରେ ବାଲେଶ୍ୱର ଜିଲ୍ଲାର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଜିଲ୍ଲାର ଭାଗିରଥିପୁର ଉଚ୍ଚ ବିଦ୍ୟାଳୟ, ଅନୁଗୁଳ ଜିଲ୍ଲାର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ, ଅଡଶ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇ ଅତିଥିମାନଙ୍କ ନିକଟରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ଶ୍ରେଷ୍ଠ ଅଭିନେତା ରୂପେ ବାଲେଶ୍ୱର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଶିବନାରାୟଣ ଦାସ, ଶ୍ରେଷ୍ଠ ଯୁଗ୍ମ ଅଭିନେତ୍ରୀ ରୂପେ ଭଦ୍ରକ ଜିଲ୍ଲାର ଓଏଭି, ସାୟାମପୁର ସୁହାନା ଦାସ ଓ ମୟୂରଭଞ୍ଜ ଜିଲ୍ଲାର ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ, ବାରିପଦାର ସ୍ଵାଗତିକା ପଣ୍ଡା, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ବାଲେଶ୍ୱର ଜିଲ୍ଲାର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଚନ୍ଦନ କୁମାର ଦାସ, ନାଟକ ଲେଖକ ବାଲେଶ୍ୱର ଜିଲ୍ଲାର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଦେବଦ୍ରତ ଦେ ଅତିଥିମାନଙ୍କ ନିକଟରୁ ଟ୍ରଫି, ପୁଷ୍ପଗୁଚ୍ଛ ନେଇ ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଧାନଶିକ୍ଷକ ରମେଶ ମାରାଣ୍ଡି, ନୟନ କୁମାର ଗିରି, ବସନ୍ତ ଦତ୍ତ, ମନୋଜ ପାତ୍ର, ଭୀଷ୍ମଦେବ ମହାନ୍ତ, ମନୋଜ ପରିଡା, ଦୀପକ ରାମ, ସଂଜୀବ ଦଳେଇ, ଅଜିତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଶିକ୍ଷୟିତ୍ରୀ ଅତସୀ କୁଣ୍ଡୁ, ପ୍ରାର୍ଥନା ମିଶ୍ର, ସୁଦତ୍ତା ବାରିକ, ଶିକ୍ଷା କର୍ମଚାରୀ ରମେଶ ଚନ୍ଦ୍ର ଜେନା ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଜୋନସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବାଲେଶ୍ୱର ଜିଲ୍ଲାର ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଭୂବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରରେ ଅଂଶ ଗ୍ରହଣ କରିବ ବୋଲି ଘୋଷଣା କରାଯାଇଥିଲା ।