jayashree

ଜିଲ୍ଲାସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ୨୬ତମ କଳାହାଣ୍ଡି ଉତ୍ସବ ୨୦୨୪ ପାଳନ ଅବସରରେ ରବିବାର ଏକ ଜିଲ୍ଲାସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ଇନ୍ଦ୍ରାବତୀ ଜଳଭଣ୍ଡାର କେନ୍ଦୁଗଡା ଘାଟଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛ । ଏଥିରେ ମୁଖ୍ୟଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶରୀ ଯୋଗ ଦେଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ପିଏ, ଆଇଟିଡିଏ ରାମକୃଷ୍ଣ ଗଣ୍ଡ, ମତ୍ସ୍ୟ ଉପନିର୍ଦ୍ଦେଶକ ଅରୁଣ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଟୁନୀ ଖୋସଲା, ଡିଡବ୍ଲୁଓ ଅରବିନ୍ଦ ରାୟ, ଡିସିଓ ଅର୍ପିତା ବେହେରା, ଡିଆଇପିଆର୍‌ଓ ମନୋଜ ବେହେରା, ନୌକା ଚାଳନା ଓ ତୀର ଚାଳନା କମିଟି ଅଧ୍ୟକ୍ଷ ପଦ୍ମକିଶୋର ପୂଜାରୀ, ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ମଞ୍ଚାସୀନ ଥିଲେ । ଏମ୍‌ଏମ୍‌ପିଏସ୍ ମହାବିଦ୍ୟାଳୟ ଥୁଆମୂଳ ରାମପୁର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା କାର୍ଯ୍ୟକ୍ରମ ପରିଚାଳନା ଓ ସଂଯୋଜନା କରିଥିଲେ । ପିଏ, ଆଇଟିଡିଏ ଏହି ପ୍ରତିଯୋଗିତା ଉପରେ ସମ୍ୟକ୍ ସୂଚନା ଦେଇ କଳାହାଣ୍ଡି ଉତ୍ସବ ଉପଲକ୍ଷେ ସ୍ଥାନୀୟ ଲୋକଙ୍କର ଆନ୍ତରିକତା ଓ ବହୁ ସଂଖ୍ୟାରେ ତୀର ଚାଳନା ଓ ନୌକା ଚାଳନା ପ୍ରତିଯୋଗିତାରେ ଅଂଶଗ୍ରହଣକୁ ପ୍ରଶଂସା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲାର ଲୋକ କଳା, ଲୋକ ସାହିତ୍ୟ, ଲୋକ ବାଦ୍ୟ, ଲୋକ ସଂସ୍କୃତିର ଆହୁରି ଉନ୍ନତି ସହ ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ ପାଇଁ ଏହି ମଞ୍ଚ ଏକ ସୁଯୋଗ ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ମାଝୀ କୁଇ ଭାଷାରେ ସମ୍ବୋଧନ କରି ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ନୌକା ଚାଳନାରେ କର୍ଲାଗୁଡା ଗ୍ରାମର ଚକ୍ର ମାଝୀ ଓ ସୁରୁ ମାଝୀ ପ୍ରଥମ, ସାନ ଛତରଙ୍ଗ ଗ୍ରାମର ଫଗନୁ ମାଝୀ ଓ ଇନ୍ଦ୍ର ମାଝୀ ଦ୍ଵିତୀୟ, କମଲାଗୁଡ଼ା ଗ୍ରାମର ତ୍ରିନାଥ ମାଝୀ ଓ ସଦା ମାଝୀ ତୃତୀୟ ହୋଇଥିଲେ । ସେହିଭଳି ତୀର ଚାଳନା ପ୍ରତିଯୋଗିତାରେ ଉପରଛାବ୍ରିର ହରି ମାଝୀ ପ୍ରଥମ, ଭେବ୍ଡ଼ାପଦର୍‌ର ସୁରେନ୍ଦ୍ର ମାଝୀ ଓ ଡିସ୍କୋ ମାଝୀ ଦ୍ଵିତୀୟ ଏବଂ ଉପରଛାବ୍ରିର ଲକ୍ଷ୍ମଣ ମାଝୀ ତୃତୀୟ ହୋଇ ମୁଖ୍ୟ ଅତିଥିଙ୍କଠାରୁ ନଗଦ ଅର୍ଥ ପୁରସ୍କାର, ସାର୍ଟିଫିକେଟ ଓ ଟ୍ରଫି ଗ୍ରହଣ କରିଥିଲେ । ତୀର ଚାଳନା ଓ ନୌକା ଚାଳନାରେ ପ୍ରଥମ ପୁରସ୍କାର ୨୫୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୨୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ୧୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ସେଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ମହୁଲପାଟଣା ସରକାରୀ ହାଇସ୍କୁଲ, ଗୋପାଳପୁର ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଳକ ଉଚ୍ଚ ବିଦ୍ୟାଳୟ, ମା’ ମାଣିକେଶ୍ଵରୀ ପଞ୍ଚାୟତ ହାଇସ୍କୁଲ, ସୁକାନ୍ତି ଡେନ୍ସ ଗ୍ରୁପ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସମ୍ବଲପୁରୀ, ଢେମସା ନୃତ୍ୟ, ସୋଲୋ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରତିଯୋଗିତାକୁ ଭୀମସେନ ସାହୁ, ଭାରତ ଭୁଷଣ ଚଲାନ୍, ଭାରତ ଭୁଷଣ ପ୍ରଧାନ, ରଜନୀକାନ୍ତ ଶର୍ମା ପ୍ରମୁଖ ସହଯୋଗ କରିଥିଲେ । ସଭା ସ୍ଥଳରେ ଆଇସିଡିଏସ୍‌, ସ୍ଵାସ୍ଥ୍ୟ ବିଭାଗର ଷ୍ଟଲ ଖୋଲାଯାଇ ସୂଚନା ସହ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଇନ୍ଦ୍ରାବତୀ ଜଳଭଣ୍ଡାରଠାରେ ଆୟୋଜିତ ଏହି ପ୍ରତିଯୋଗିତା ମାଧ୍ୟମରେ ବିଛିନ୍ନାଞ୍ଚଳର ଲୋକଙ୍କୁ ସାମିଲ କରାଯାଉଥିବାରୁ ଆୟୋଜକ କମିଟିର ଏହି ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.