
ମ.ରାମପୁର, (ହେମନ୍ତ ସାହୁ) : ୱେଷ୍ଟ ବେଙ୍ଗଲ ଆଥେଲେଟିକ୍ ଆସୋସିଏସନ୍ ତରଫରୁ ଅନୁଷ୍ଠିତ ୩୪ତମ ଜାତୀୟସ୍ତରୀୟ ଆଥେଲେଟ୍ ମିଟ୍ରେ କମାଲ କରିଛନ୍ତି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଚ୍ଛାଡ଼େଙ୍ଗେନ ପଂଚାୟତର ପ୍ରତିଭା । ଚଳିତ ମାସ ୧୯ ଓ ୨୦ ତାରିଖରେ କଲିକତାର ସାଇ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି ଆଥଲେଟ୍ ମିଟ୍ର କନିଷ୍ଠ ବିଭାଗର ଲମ୍ବ ଡିଆଁ(୫.୮୭) ମାନସ ରଞ୍ଜନ ମାଝୀ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ କଲିକତାଠାରେ ଅନୁଷ୍ଠିତ ହୋଇଯାଇଥିବା ଜାତୀୟସ୍ତରୀୟ ଆଥେଲେଟ ମିଟରେ (୧୪ ବର୍ଷରୁ କମ୍) ବିଭାଗର ଲମ୍ବ ଡ଼ିଆଁ ପ୍ରତିଯୋଗିତାରେ ମାନସ ଏହି ସଫଳତା ହାସଲ କରିଛନ୍ତି । ଗୋଚ୍ଛାଡ଼େଙ୍ଗେନ ପଂଚାୟତର ବେଲୁର ଗାଁ ନିବାସୀ ପତିରାମ ମାଝୀ ଓ ମମତା ମାଝୀଙ୍କ ପୁଅ ମାନସ ମଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ସଂପ୍ରତି କୋରାପୁଟ ସ୍ପୋର୍ଷ୍ଟ ହଷ୍ଟେଲରେ ରହି ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଗୋଚ୍ଛାଡ଼େଙ୍ଗନ ପଂଚାୟତର ବେଲୁର ଏକ ମଫସଲ ଗାଁ, ସେଥିରୁ ଯାଇ ଜାତୀୟସ୍ତରୀୟ କ୍ରୀଡାରେ ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ମାନସଙ୍କୁ ଏହି ସଫଳତା ପରେ ଶୁଭେଛାର ସୁଅ ଛୁଟିଛି । ତେବେ ଏଥର ସେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରଚେଷ୍ଟା କରି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି ଏବଂ ଆଗାମୀ ଦିନରେ ସେ ଆନ୍ତର୍ଜାତୀୟ ଆଥଲେଟ୍ ପାଇଁ ପ୍ରସ୍ତୁତି ବଜାୟ ରଖିଥିବା କହିଛନ୍ତି ।