ଡେଲାଙ୍ଗ, (ଦିଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସୁଜନପୁର ପଞ୍ଚାୟତର ସମିତିସଭ୍ୟ ଦିବଂଗତ ଅଜୟ କୁମାର ରାଉତରାୟଙ୍କ ଗତ ମେ ମାସ ୨ ତାରିଖରେ ଅକାଳ ବିୟୋଗ ହେବା ପରଠାରୁ ଏଠାରେ ସମିତିସଭ୍ୟ ପଦବୀ ଖାଲି ପଡ଼ିଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏହି ପଞ୍ଚାୟତରେ ସମିତି ସଭ୍ୟ ଉପନିର୍ବାଚନ ପାଇଁ ଗତ ୧୦ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଠାରେ ରାଜନୈତିକ ଉଷ୍ମତା ସରଗରମ ହୋଇପଡିଛି । ସୋମବାର ଦିନ ନାମାଙ୍କନ ଦାଖଲର ଅନ୍ତିମ ଦିବସରେ ସମୁଦାୟ ୩ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଲାବନ୍ୟେନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ଦିବଂଗତ ସମିତି ସଭ୍ୟ ଅଜୟଙ୍କ ଧର୍ମପତ୍ନୀ ସବିତା ରାଉତରାୟ ଗତ ଶନିବାର ଦିନ ଭୁବନେଶ୍ଵର ଶଙ୍ଖ ଭବନଠାରେ ରାଜ୍ୟ କୃଷିମନ୍ତ୍ରୀ ତଥା ପୁରୀ ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଓ ଡେଲାଙ୍ଗ ବ୍ଲକ୍ ବିଜେଡି ସଭାପତି ବୈରାଗୀ ଜେନାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଥିବାବେଳେ ସୋମବାର ଦିନ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ସୁଜନପୁର ପଞ୍ଚାୟତ ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀନୀ ଭାବେ ଶ୍ରୀମତୀ ରାଉତରାୟ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରାରମ୍ଭରେ ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଶ୍ରୀମତୀ ରାଉତରାୟ ହାଟ୍ ଡେଲାଙ୍ଗ ବଜାର ଛକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଆସି ଡେଲାଙ୍ଗ ବ୍ଲକ୍ ପରିସରରେ ପହଞ୍ଚିଥିଲେ । ପରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବ୍ଳକ୍ ବିଜେଡି ସଭାପତି ବୈରାଗୀ ଜେନା, ବ୍ଳକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ପିପିଲି ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ଡେଲାଙ୍ଗ ବ୍ଲକ୍ ୧୬ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ୧୫ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ, ବିଧାୟକଙ୍କ ପ୍ରତିନିଧି ମଳୟ କୁମାର ମହାନ୍ତି, ବିଜେଡି ନେତା ବିପନ ପଟ୍ଟନାୟକ, ବିପିନି ବିହାରୀ ନରେନ୍ଦ୍ର, ନବଘନ ପ୍ରଧାନ, ଦୁର୍ଯ୍ୟୋଧନ ସାହୁ, ଦୀପକ ଛୋଟରାୟ, ଆତ୍ମା ଅଧ୍ୟକ୍ଷା ମିନତୀ ସେନାପତି, ବିଜୟ କୁମାର ଚମ୍ପତିରାୟ, ମାର୍କଣ୍ଡ ମଙ୍ଗରାଜ, ଲଲାଟ କେଶରୀ ସାମନ୍ତରାୟ, ଛାତ୍ର ବିଜେଡ଼ି ନେତା ସୁଦୀପ୍ତ କୁମାର ନାୟକଙ୍କ ସମେତ ଶତାଧିକ ଦଳୀୟକର୍ମୀଙ୍କ ଗହଣରେ ଯାଇ ନିର୍ବାଚନ ଅଧିକାରୀ ଲାବଣ୍ୟେନ୍ଦୁ ମହାନ୍ତିଙ୍କ ନିକଟରେ ସୁଜନପୁର ପଞ୍ଚାୟତର ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀନୀ ଭାବେ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ଦିବଂଗତ ସମିତି ସଭ୍ୟ ଅଜୟ କୁମାର ରାଉତରାୟଙ୍କ ବଡ଼ଭାଇ ସଞ୍ଜୟ କୁମାର ରାଉତରାୟ ଓ ବିଭୂତି ଭୂଷଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭାରତୀୟ ଜନତା ପାର୍ଟି ସମର୍ଥନରେ ଯୁବ ବିଜେପି ନେତା ଉମାବଲ୍ଲଭ ମଙ୍ଗରାଜ ନିଜର ସମର୍ଥକମାନଙ୍କ ଗହଣରେ ଆସି ନାମାଙ୍କନପତ୍ର ଭରିଥିବାବେଳେ ସ୍ଵାଧୀନ ପ୍ରାର୍ଥୀ ଭାବେ ନୂଆଗଡ ଗୋଡ଼ିସାହିର ତ୍ରିଲୋଚନ ପରିଡ଼ା ନିଜର ନାମାଙ୍କନପତ୍ର ଦାଖଲ କରିଥିବା ନେଇ ଜିପିିଇଓ ରତିକାନ୍ତ ସାହୁ ସୂଚନା ଦେଇଛନ୍ତି । ତେବେ ବିଡ଼ମ୍ବନାର ବିଷୟ, ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାର ଅନ୍ତିମ ଅବଧି ସୁଦ୍ଧା କଂଗ୍ରେସ ଦଳ ସମର୍ଥିତ କୌଣସି ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରି ନଥିଲେ । ତେବେ ୨୦୨୪ ନିର୍ବାଚନ ବୈତରଣୀ ପାର ହେବାକୁ ହେଲେ ଏବେଠାରୁ କଂଗ୍ରେସ ଦଳ ଯଦି ତୃଣମୂଳ ସ୍ତରରୁ ନିଜ ଉଜୁଡ଼ା ଘରକୁ ସଜାଡିବା ଦିଗରେ ଯତ୍ନବାନ ନ ହୁଏ, ତେବେ ଏଠାରେ କଂଗ୍ରେସ ଘର ସଂପୂର୍ଣ୍ଣ ଭାବେ ଭୁଷୁଡି ପଡ଼ିବ ବୋଲି ବେଳହୁଁ ରାଜନୈତିକ ସମୀକ୍ଷକମାନେ ଅଙ୍କ କଷିଲେଣି । ସେ ଯାହାହେଉ ସମ୍ପ୍ରତି ଡେଲାଙ୍ଗ ବ୍ଲକ୍ରେ ଶାସକ ବିଜେଡ଼ିର ପଲା ଭାରି ରହିଥିବାବେଳେ ତାକୁ ଟକ୍କର୍ ଦେବାକୁ ହେଲେ ଭାରତୀୟ ଜନତା ପାର୍ଟିକୁ ଦିନରାତି ଏକ କରି ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀମାନେ ଆକଳନ କରିଛନ୍ତି । ତେବେ ସୁଜନପୁର ପଞ୍ଚାୟତ ସମିତି ସଭ୍ୟ ଉପନିର୍ବାଚନ ପାଇଁ ସୋମବାର ଦିନ ଶାନ୍ତି ଶୃଙ୍ଖଳାର ସହ ନାମାଙ୍କନପତ୍ର ଦାଖଲ ସରିଛି । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡେଲାଙ୍ଗ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା ।