- ଲୋକସଭା ସଚିବାଳୟଙ୍କ ଉଦ୍ଦେଶ୍ୟ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରସ୍ତାବ
ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ‘ବନ ଅଧିକାର ଅଧିନିୟମ, ୨୦୦୬’ ର କାର୍ଯ୍ୟକାରିତା ସମ୍ପର୍କରେ ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ଲୋକସଭା ସଚିବାଳୟକୁ ଦିଆଯାଇଥିବା ଏକ ପ୍ରସ୍ତାବ । ଓଡ଼ିଶାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ । ବ୍ୟକ୍ତିଗତ ବନ ଅଧିକାର ଏବଂ ଗୋଷ୍ଠୀଗତ ବନ ସମ୍ପଦ ଅଧିକାର ପାଇଁ ଦିଆଯାଇଥିବା ଆବେଦନ ଗୁଡ଼ିକର ସମାଧାନରେ ଅହେତୁକ ବିଳମ୍ବ ଓ ଅନିୟମିତତା ହେଉଥିବା ସାଂସଦ ପ୍ରଦୀପ ପୁରୋହିତ ଦର୍ଶାଇଛନ୍ତି । ଅନେକ ଆବେଦନ ବିନା କୌଣସି ଯଥାର୍ଥ କାରଣରେ ଖାରଜ କରି ଦିଆଯାଉଛି, ଯାହାଫଳରେ ବନବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ସରକାରଙ୍କ ନିକଟରେ ଦାବି କରିଛନ୍ତି ପ୍ରଦୀପ ପୁରୋହିତ । ଜିଲ୍ଲା ଓ ବ୍ଲକ ଭିତ୍ତିରେ କେତେ ଆବେଦନ ମଞ୍ଜୁର ହୋଇଛି, କେତେ ପଡ଼ି ରହିଛି ଏବଂ କେତେ ଖାରଜ ହୋଇଛି, ତାହାର ସମ୍ପୂର୍ଣ୍ଣ ବିବରଣୀ ସଦନରେ ଉପସ୍ଥାପନ କରାଯାଉ । ପଡ଼ି ରହିଥିବା ମାମଲା ଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉ । ସେହିଭଳି ଗ୍ରାମସଭା ଓ ଜିଲ୍ଲା ସ୍ତରୀୟ କମିଟିଗୁଡ଼ିକୁ ଅଧିକ ଶକ୍ତିଶାଳୀ କରି ଏହି ଆଇନର ସ୍ୱଚ୍ଛ କାର୍ଯ୍ୟକାରିତା ନିଶ୍ଚିତ କରାଯାଉ ବୋଲି ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।