
ନୂଆପଡା, (ନିରାକାର ମେହେର) : ଆସନ୍ତା ସାଧାରଣ ନିର୍ବାଚନକୁ ନୂଆପଡ଼ା ଜିଲ୍ଲାରେ ସୁରୁଖୁରୁରେ ପାଳନ କରିବା ତଥା ନିର୍ବାଚନରେ ଅଧିକରୁ ଅଧିକ ଭୋଟରଙ୍କୁ ଭୋଟଦାନ ପାଇଁ ଅକୃଷ୍ଟ କରିବା ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ସଦରମହକୁମାରେ ୱାକାଥନର ଆୟୋଜନ କରାଯାଇଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ମିଳିତ ଆନୁକୁଲ୍ୟରେ ଅୟୋଜିତ ଏହି ୱାକାଥନ ସକାଳ ୬ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଏକତା ଛକ ଦେଇ ସହର ପରିକ୍ରମା କରି ତେଲିପଡା ଛକ ପର୍ଯ୍ୟନ୍ତ ଯାଇ ପୁଲିସ ପଡିଆରେ ଶେଷ ହୋଇଥିଲା । ଏହି ୱାକାଥନକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ନୋଡାଲ ଅଧିକାରୀ ଲମ୍ବୋଧର ଧରୁଆ, ନୂଆପଡା ଅତିରିକ୍ତ ଜିଲାପାଳ ସୁବାଷ ଚନ୍ଦ୍ର ରଇତ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନୂଆପଡା ଉପଜିଲ୍ଲାପାଳ ଜୋଗେନ୍ଦ୍ର ମାଝି, ଭାରତୀୟ ଷ୍ଟେଟବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ, ନୂଆପଡା ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଦେବାଶିଷ ଯୋଶୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଜୟ କୁମାର ପଟ୍ଟନାୟକଙ୍କ ସହ ଅନ୍ୟ ଜିଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ । ଏହା ବ୍ୟତୀତ ସ୍ଥାନୀୟ ନେସ୍ନାଲ୍ ଉଚ୍ଚ ବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ଓ ଶିକ୍ଷକ, ନେସ୍ନାଲ୍ କଲେଜର ଛାତ୍ରଛାତ୍ରୀ ଓ କ୍ରୀଡା ଶିକ୍ଷକ, କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲାଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କ୍ରୀଡା ଶିକ୍ଷୟିତ୍ରୀମାନେ ସାମିଲ ହୋଇ ହାତରେ ଫ୍ଲା-କାର୍ଡ ଧରି ୱାକାଥନର ଶୋଭା ବଢାଇଥିଲେ । ପରିଶେଷରେ ପୁଲିସ ପଡିଆଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇ ୱାକାଥନ ସମାପ୍ତ ହୋଇଥିଲା ।