ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ : ବିଜ୍ଞାନ ମେଳା ଓ ପ୍ରକଳ୍ପ ପ୍ରତିଯୋଗିତା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଆଦିବାସୀ କଲ୍ୟାଣ ବିଭାଗର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଅନ୍ୱେଷା ଖେଳ ପଡିଆରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ଶିକ୍ଷାଅଧିକାରୀ ମିତ୍ରଭାନୁ କଚ୍ଛପ ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟଅତିଥି ଭାବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷାରାଣୀ ସିଂ ବରିହା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ଛତ୍ରପତି ସାହୁ, ବ୍ଲକ୍ ଶିକ୍ଷାଧିକାରୀ ଲୋକନାଥ ଭୋଇ, ଚୁଡ଼ାମଣି ବାରିକ, ଶୁଭମ୍ ପତି, ସରୋଜ ଭୁଏ, ରାମଲାଲ ବରିହା,ଶ୍ରୀମତୀ ସେବାଶ୍ରୀ ଭୋଇ, ଶ୍ରୀମତୀ ଅମୃତା ସାହୁ, ସୁଶ୍ରୀ ଭାବନା ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ ପଟ୍ଟନାୟକ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ଧରୁଆ ପ୍ରମୁଖ ମଞ୍ଚାସିନ ଥିଲେ । ସର୍ଵ ପ୍ରଥମେ ମୁଖ୍ୟଅତିଥିଙ୍କ କରକମଳରେ ଶ୍ରୀ ଗଣେଶ ଓ ସିଦ୍ଧିଦାତ୍ରିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ୱଳନ କରି ଏହି ମହୋତ୍ସବର ଶୁଭାରମ୍ଭ କରିଥିଲେ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ଅନ୍ତର୍ଯ୍ୟାମୀ ମେହେରଙ୍କ ସଂଗୀତ ନିର୍ଦ୍ଦେଶନାରେ ସ୍ଵାଗତ ସଂଗୀତ ଗାନ କରିଥିଲେ । ଭଟଲି ଓଏଭିର ଛାତ୍ରୀ ଲିପ୍ସା ପଣ୍ଡା ଓ ଲେଣ୍ଡା ହାଇସ୍କୁଲର ଛାତ୍ରୀ ପ୍ରିୟା ମାଝୀ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏଡିଇଓ ଛତ୍ରପତି ସାହୁ କୁତ୍ରିମ ବୁଦ୍ଧିମତ୍ତା ଉପରେ ତାଙ୍କର ଅଭିମତ ରଖିଥିଲେ । ମୁଖ୍ୟଅତିଥି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧରେ ତାଙ୍କର ଅଭିଭାଷଣରେ କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ବିଜ୍ଞାନର ଜୟଯାତ୍ରା ବିନାଶ ଦିଗ ଛାଡି ବିକାଶ ଦିଗରେ ଆଗେଇ ନେବା ପାଇଁ ଦିଗଦର୍ଶନ ଦେଇଥିଲେ । ବିଭିନ୍ନ ବିଭାଗରୁ ବିଜୟୀ ଛାତ୍ରଛାତ୍ରୀ ଯେଉଁମାନେ କି ବରଗଡ ଜିଲ୍ଲାରୁ ଜାତୀୟସ୍ତରରେ ପ୍ରତିନିଧିତ୍ଵ କରିଥିଲେ ତାଙ୍କୁ ପୁରସ୍କୃତ କରାଯାଇଥିଲା ଓ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ବିଜୟୀ ପ୍ରତିଯୋଗୀ ଆର୍ଯ୍ୟାନ୍ ପ୍ରଧାନ (ସ୍ୱାସ୍ଥ୍ୟ), ସ୍ନେହା ସାହୁ (କୃଷି), ନିୟତି ନିହାରିକା ସାହୁ( ଜୀବନ ଶୈଳୀ), ପ୍ରଜ୍ଞା ଭାରତୀ ମିର୍ଦ୍ଧା (ଗମନା ଗମନ ଓ ଯୋଗାଯୋଗ) ଓ ନିଷେଧ ଜାଲ (ଗାଣିତିକ ଚିନ୍ତାଧାରା) ବିଭାଗରୁ ପୁରସ୍କୃତ ହୋଇ ରାଜ୍ୟସ୍ତରୀୟ ପ୍ରଦର୍ଶନୀକୁ ଉନ୍ନୀତ ହୋଇଥିଲେ ଯାହା କି ଆସନ୍ତା ଜାନୁୟାରୀ ୫ ରୁ ୭ ତାରିଖ ବାରିପଦାଠାରେ ପ୍ରଦର୍ଶିତ ହେବ । ମଞ୍ଚ ପରିଚାଳନା କରିଥିଲେ ରାଜେଶ ଖମାରୀ, ଦ୍ଵାଦଶ ପ୍ରଧାନ ଓ ଭବାନୀ ଶଙ୍କର ଗଡତିଆ ପରିଶେଷରେ ଏଡିଇଓ ରାଧାକାନ୍ତ ଛତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଜିଲ୍ଲାସ୍ତରୀୟ ବିଜ୍ଞାନମେଳାର ସଫଳତା ପ୍ରାଥମିକ ଶିକ୍ଷକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ବିଇଓ ଅଫିସର ସମସ୍ତ କର୍ମଚାରୀ, ଆୟୋଜକ କମିଟି ତଥା ଦେବେନ୍ଦ୍ର ଟେଣ୍ଟ କେନ୍ଦୁଭଟା, ଏନ୍ସିସି ଏବଂ ସ୍କାଉଟ୍ ଓ ଗାଇଡର ସ୍ୱେଚ୍ଛା ସେବକମାନଙ୍କ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ହିଁ ସମ୍ଭବ ହୋଇପାରିଥିଲା ।

Leave A Reply

Your email address will not be published.