+୩ ନାମଲେଖା ପ୍ରକ୍ରିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

  • ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ଵିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ : ଉଚ୍ଚଶିକ୍ଷା ମନ୍ତ୍ରୀ
  • ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ଅନେକ ଛାତ୍ରଛାତ୍ରୀମାନେ ଉପକୃତ ହେବେ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ +୩ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରି +୩ ପାଠ୍ୟକ୍ରମରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆଡ଼ମିସନ୍‌ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ବୋଲି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ।
ଶ୍ରୀ ସୂରଜ କହିଛନ୍ତି ଯେ, +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଗତ ଅଗଷ୍ଟ ମାସ ୧୨ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହି ପ୍ରକିୟା ଆସନ୍ତା ଅଗଷ୍ଟ ୨୬ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମ୍ବନ୍ଧୀୟ ଏକ ଗାଇଡ଼ଲାଇନ୍‌ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିଲା ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ଦ୍ଵିତୀୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଉଲ୍ଲେଖ ଥିଲା । ଏହି ସମ୍ବନ୍ଧୀୟ ସୂଚନା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଆଡ଼ମିସନ୍‌ ପ୍ରକ୍ରିୟା ଆରମ୍ଭରୁ କମନ୍‌ ପ୍ରସ୍ପେକ୍ଟସ୍‌- ୨୦୨୪-୨୫ ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଜଣାଇ ଦିଆଯାଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବାପରେ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପକ୍ଷରୁ ଗାଇଡ଼ଲାଇନ୍‌ରେ ସଂଶୋଧନ କରି ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀଙ୍କୁ ନିଜ ମନପସନ୍ଦର କଲେଜ୍‌ ଓ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଉ ଥରେ ଏକ ସୁଯୋଗ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଥିଲା । ଏହି ସମ୍ବନ୍ଧରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚଶିକ୍ଷା ବିଭାଗ ନିଜର ନିଷ୍ପତ୍ତିକୁ ବଦଳାଇଛି ଏବଂ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ୍‌ରେ ସଂଶୋଧନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇସାରିଥିବା ଛାତ୍ରଛାତ୍ରୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଥରେ ଆବେଦନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।
ଆଡ଼ମିସନ୍‌ ପ୍ରକ୍ରିୟାରେ ହୋଇଥିବା ଏହି ସଂଶୋଧନ ଅନେକ ଛାତ୍ରଛାତ୍ରୀମାନଙ୍କୁ ଆଉ ଏକ ନୂତନ ସୁଯୋଗ ପ୍ରଦାନ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆମ ଛାତ୍ରଛାତ୍ରୀମାନେ ହେଉଛନ୍ତି ଆମ ରାଜ୍ୟ ତଥା ଦେଶର ଭବିଷ୍ୟତ । ତାଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବାରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଏହି ନିଷ୍ପତ୍ତି ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି ମୋର ଆଶା ଓ ବିଶ୍ୱାସ । ଆଜିର ଏହି ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହର ପରିଲକ୍ଷିତ ହୋଇଛି । ଅନେକ ଛାତ୍ରଛାତ୍ରୀ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.