- ବଲାଙ୍ଗିର ଜିଲ୍ଲା ଶେଷ ଆଡ଼ୁ ନମ୍ୱର ୧
- ବଲାଙ୍ଗିର ଜିଲ୍ଲାରେ ଫେଲ ମାରିଛି ଯଶୋଦା ଯୋଜନା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଅନାଥ ଶିଶୁଙ୍କ ପାଇଁ କାମ କରୁଥିବା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଥିବା ଅନାଥ ଶିଶୁଙ୍କ ପାଇଁ ବିଭିନ୍ନ ଯୋଜନା ଗୁଡିକ ଫେଲ୍ ମାରିଥିବାର ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଘରର ମୁଖ୍ୟ ଆୟ ଶ୍ରୋତାକାରୀଙ୍କ ଯେ କୌଣସି କାରଣରୁ ମୃତ୍ୟୁ ହୋଇଥିଲେ ମାଟ୍ରିକରୁ ଅଧିକ ପାଠ ଯଥା- ବୈଷୟିକ ଶିକ୍ଷା, ଉଚ୍ଚଶିକ୍ଷା, ବୃତ୍ତିଗତ ଶିକ୍ଷାରେ ପିତୃ ଓ ମାତୃହୀନ ଶିଶୁମାନଙ୍କୁ ୯୦୦୦ରୁ ୫୨୦୦୦ ପର୍ଯ୍ୟନ୍ତ ପାଠ୍ୟକ୍ରମ ଅନୁସାରେ ପ୍ରଦାନ କରାଯାଇଥାଏ । ରାଜ୍ୟ ସରକାର ଏହି ଯୋଜନାକୁ ଲୋକାଭିମୁଖୀ କରିବାପାଇଁ ଯଶୋଦା ଯୋଜନା ନାମରେ ନାମିତ କରି ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରଦାନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଆବେଦନ କରିଥିବା ପିତୃ ଓ ମାତୃହୀନ ଶିଶୁମାନେ ବର୍ଷେରୁ ଅଧିକ ସମୟ ହେବ ଆବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପଇସା ପାଇପାରୁନାହାନ୍ତି । ସୂଚନା ଅନୁସାରେ ମିଳନ ପଧାନ ନାମକ ଛାତ୍ର ଜାନୁଆରୀ ମାସରେ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଛନ୍ତି, ଶୁଭ୍ରଂଶିକା ପଣ୍ଡା ମଧ୍ୟ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଆହୁରି ଜିତେନ୍ଦ୍ର କୁମାର ବିଶିଙ୍କୁ ପାଠ ପଢ଼ାଉଥିବା ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ବାରମ୍ବାର ସାକ୍ଷାତ କଲେ କେବଳ ଆଶ୍ୱାସନା ମିଳୁଛି କିନ୍ତୁ ସହାୟତା ରାଶି ମିଳି ପାରୁନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀ କହିଛନ୍ତି ଗୋଟିଏ ସପ୍ତାହରେ ଏ ଟଙ୍କା ନ ମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ଦୋଳନ କରି ଆମରଣ ଅନଶନ କରିବୁ ବୋଲି ଜଣାଇଛନ୍ତି ।