ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସାରା ଦେଶବ୍ୟାପି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିନ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ସହର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ସର୍ଗିଗୁଡ଼ା ସ୍ଥିତ ପ୍ରଭୁ ଶ୍ରୀରାମ ମନ୍ଦିର ପରିସରରେ ୧୭ତମ ଶ୍ରୀରାମ ନବମୀ ମହୋତ୍ସବ ପୂଜାର୍ଚ୍ଚନା ଏବଂ ଷୋହଳ ପ୍ରହର ନାମଯଜ୍ଞ ଜୋର୍ସୋର୍ରେ ଚାଲିଛି । ଆଖପାଖ ଅଞ୍ଚଳର କୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ଅତି ସୁନ୍ଦର ନାମ ସଙ୍କୀର୍ତ୍ତନ ପରିବେଷଣ କରାଯାଉଛି । ଦେଖିବାକୁ ମଧ୍ୟ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି । ଆୟୋଜକ କମିଟି ପକ୍ଷରୁ ଅତି ସୁନ୍ଦର ବ୍ୟବସ୍ଥା ସହ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିଥିବା କମିଟି ସଭାପତି ଅରୁଣ ସାହୁ ସୂଚନା ଦେଇଛନ୍ତି ।
ସେହିପରି ଟିଟିଲାଗଡ଼ ହାଟପଦାପଡ଼ା ସଙ୍କଟ ମୋଚନ ହନୁମାନ ମନ୍ଦିରର ପ୍ରତିଷ୍ଠା ଦିବସ ଅତି ଧୁମ୍ଧାମ୍ରେ ପାଳନ କରାଯାଉଛି । ସକାଳୁ କଳସ ଯାତ୍ରା ବାହାରି ପାଣି ଆଣିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ କମିଟି ପକ୍ଷରୁ ପ୍ରହରୀ ଓ ନାମଯଜ୍ଞର ଆୟୋଜନ କରାଯାଉଥିବା ସଭାପତି ସୁବୋଧ ଦାସ ସୂଚନା ଦେଇଛନ୍ତି । କମିଟି ପକ୍ଷରୁ ଭକ୍ତଙ୍କ ନିମନ୍ତେ ପ୍ରସାଦ ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଅନ୍ୟପଟେ ବଜରଙ୍ଗ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଜୟ ଶ୍ରୀରାମ ନାରାରେ ସହର କମ୍ପି ଉଠିଥିଲା । ବଜରଙ୍ଗ ଦଳର ସମସ୍ତ କର୍ମକର୍ତ୍ତାଙ୍କ ସହ ବିଜେପି ଦଳର ବହୁତ ନେତା ଓ କର୍ମୀମାନେ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ସନ୍ଧ୍ୟା ସମୟରେ ରାଧାକୃଷ୍ଣ ମନ୍ଦିର କମିଟି ତଥା ଶ୍ରୀରାମ ସେନା ତରଫରୁ ଏକ ବିରାଟ ଶୋଭାଯାତ୍ରା ଶ୍ରୀରାମଙ୍କ ଝଣ୍ଡା ଧରି ମାରୱାଡ଼ି ସଂପ୍ରଦାୟର ଆବାଳ ବୃଦ୍ଧବନିତା, ମହିଳା ଓ ପୁରୁଷ ଭକ୍ତମାନେ ନାଚି ନାଚି ପ୍ରଭୁଙ୍କ ଜୟକାର କରିଥିଲେ । ଏହି ଶୋଭାଯାତ୍ରାର ବିଶେଷ ଆକର୍ଷଣ ଥିଲା କୁନି କୁନି ପିଲାଙ୍କୁ ପ୍ରଭୁ ଶ୍ରୀରାମ, ମାତା ସୀତା, ଭ୍ରାତା ଲକ୍ଷ୍ମଣ ଏବଂ ରାମ ଭକ୍ତ ହନୁମାନଙ୍କ ବେଶରେ ଏକ ରଥରେ ସମସ୍ତେ ବିରାଜମାନ ହୋଇଥିଲେ । ଏହା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା ।
ସେହିପରି ମୁଡ଼ାବନ୍ଧ ନିକଟସ୍ଥ ଶିରିଡ଼ି ସାଇ ସଂସ୍ଥାନ ଦ୍ଵାରା ଏକ ବିରାଟ ପାଲିଙ୍କି ଯାତ୍ରା ପ୍ରଭୁ ଶ୍ରୀରାମଙ୍କ ଫଟୋ ଏବଂ ଶିରିଡ଼ି ସାଇ ବାବାଙ୍କ ଫଟୋ ସହ ସୁନ୍ଦର ଲାଇଟ ସାଜସଜ୍ଜାରେ ବାହାରି ସହର ପରିକ୍ରମା କରିଥିଲା ।
ସେହିପରି ପଦ୍ମନାଭପୁର ରାମ ମନ୍ଦିର କମିଟି ପକ୍ଷରୁ ପଡ଼ାର ବହୁତ ପୁରୁଷ ଓ ମହିଳା ଭକ୍ତମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା ବାହାରି ଥିଲା ।
ଦେଖିବାକୁ ଗଲେ ଆଜି ପବିତ୍ର ରାମନବମୀ ଉପଲକ୍ଷେ ଟିଟିଲାଗଡ଼ ସହର ସମ୍ପୂର୍ଣ୍ଣ ଭାବେ ରାମମୟ ଅର୍ଥାତ୍ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଥିଲା । ଏକ ଆଧ୍ୟାତ୍ମିକ ପରିବେଶରେ ଆଜି ଦିନଟି ଲୋକଙ୍କ କଟିଛି, ଘରୁ ସମସ୍ତେ ବହାରି ବୁଲିବୁଲି ସମସ୍ତ ହନୁମାନ ମନ୍ଦିର ଏବଂ ଶ୍ରୀରାମ ମନ୍ଦିରକୁ ଯାଇ ଦର୍ଶନ ଲାଭ କରିଥିଲେ । ଟିଟିଲାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ ହେବା ସହ ଜୋର୍ଦାର୍ ପେଟ୍ରୋଲିଂ କରିବାର ଦେଖିବାକୁ ମିଳିଥିଲା ।