ବିଦ୍ୟାଳୟ ପାଇଲା ସ୍ଥାୟୀ ପ୍ରଧାନ ଶିକ୍ଷକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସରକାରଙ୍କ ନିର୍ଦ୍ଦେଶାନାମା ଅନୁସାରେ ୨୦୦୮ ମସିହାରୁ ଖୋଲାଯାଇ ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲୁଥିଲା । ଦୀର୍ଘ ୧୩ ବର୍ଷରୁ ଅଧିକ ବିତିଯାଇଥିଲେ ସୁଦ୍ଧା ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି କରାଯାଇନଥିଲା । ବିଦ୍ୟାଳୟରେ ଆଜି ପ୍ରଥମ କରି ସ୍ଥାୟୀ ପ୍ରଧାନଶିକ୍ଷକ ଭାବରେ ଶିକ୍ଷକ ଚାଣ୍ଡାଳ ମିଶ୍ର ଯୋଗଦାନ ଦେଲେ । ସେ ପୂର୍ବରୁ ସଇଁନ୍ତଲା ନୋଡାଲ ହାଇସ୍କୁଲରେ ଜଣେ ଜନପ୍ରିୟ ଆଦର୍ଶ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ଏହି ଅବସରରେ କୋଭିଡ ଗାଇଡଲାଇନ୍‌ ପାଳନ କରି ଶିକ୍ଷକ ବିଶ୍ୱନାଥ ମେହେରଙ୍କର ତତ୍ତ୍ୱାବଧାନରେ ଏକ ନିରାଡମ୍ବର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଗଣ ଫୁଲତୋଡା ଓ ଉପଢୌକନ ଦେଇ ନବ ନିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ ଜଣାଇଥିଲେ । ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷାର୍ଥୀ, ଅଭିଭାବକ ତଥା ଅନ୍ୟମାନେ ଏକମନ ଏକ ପ୍ରାଣ ହେଲେ ଶିକ୍ଷାନୁଷ୍ଠାନ ଭଳି ପରିବାରଟିଏ ସାମଗ୍ରୀକ, ଶୈକ୍ଷିକ ଉନ୍ନତି ହୋଇପାରିବ ବୋଲି ନିଯୁକ୍ତି ପାଇଥିବା ପ୍ରଧାନଶିକ୍ଷକ ଶ୍ରୀ ମିଶ୍ର ଏହି ଅବସରରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିସରରେ ସରକାର ଜାରି କରିଥିବା କୋଭିଡ-୧୯ ମାର୍ଗଦର୍ଶିିକା ଯଥା ସାମାଜିକ ଦୂରତା ବଜାୟ ରଖିବା, ସାବୁନରେ ବାରମ୍ବାର ହାତକୁ ଧୋଇବା ଓ ସର୍ବୋପରି ମାସ୍କ ପରିଧାନ କରିବା ଆଦି ନିୟମକୁ ସମସ୍ତେ ଠିକ ଭାବରେ ପାଳନ କରିବାର ନେତୃତ୍ୱ ଜୁନିୟର ରେଡକ୍ରସ କାଉନ୍ସେଲର ରାମ ନାରାୟଣ ଦାଶଙ୍କୁ ପ୍ରଦାନ କରାଗଲା । କାର୍ଯ୍ୟକ୍ରମରେ ଶିକ୍ଷକ ବ୍ରଜମୋହନ ମାଝି, ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଳ, ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ଦ୍ରୋପଦୀ ଭୋଇ, ଭାରତୀ ପଧାନ, ଯଶୋବନ୍ତୀ ସୁନା ଉପସ୍ଥିତ ଥିଲେ । ଶିକ୍ଷକ ସୁଦର୍ଶନ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ଆଦିତ୍ୟ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନଶିକ୍ଷକ ନିଯୁକ୍ତି ହୋଇଥିବାରୁ ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ଓ ଗ୍ରାମବାସୀ ବୃନ୍ଦ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା, ଅତିରକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ଓ ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି ।

Leave A Reply

Your email address will not be published.