oum

ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଓ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ଏସ୍‌ଆଇଟି ତଦନ୍ତ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ସିପିଆଇଏମ୍‌ର ସ୍ମାରକପତ୍ର ପ୍ରଦାନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶରେ ସାଧାରଣ ନିର୍ବାଚନ ଶେଷ ହେଲାପରେ କେନ୍ଦ୍ରରେ ତୃତୀୟ ଥର ପାଇଁ ବିଜେପି ନେତୃତ୍ୱରେ ଏନ୍‌ଡିଏ ସରକାର କ୍ଷମତାସୀନ ହୋଇଛନ୍ତି ଏବଂ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସାଧାରଣ ନିର୍ବାଚନ ଶେଷ ହେବା କ୍ଷଣି ଦେଶରେ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ଆକାଶଛୁଆଁ ହୋଇଛି । ଡାଲି, ଚାଉଳ, ତେଲ, ଆଳୁ, ପିଆଜ ଓ ପ୍ରାୟ ସମସ୍ତେ ଖାଦ୍ୟ ସାମଗ୍ରୀର ଦରଦାମ ଅହେତୁକ ଭାବରେ ବୃଦ୍ଧି ପାଇଛି ଯାହା ଫଳରେ ଦେଶର ସାଧାରଣ ଖାଉଟିର ରୋଷେଇ ଘର ଉପରେ ତାର ପ୍ରତ୍ୟକ୍ଷ ପ୍ରଭାବ ପଡିଛି । ସାଧାରଣ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ସର୍ବନିମ୍ନ ଆବଶ୍ୟକତା ଆଳୁ, ପିଆଜ କିଲୋ ପିଛା ୪୦ ଟଙ୍କାରେ ପହଞ୍ଚିଥିଲା ବେଳେ ଡାଲି, ଅଟା, ଚାଉଳ ଗତ ୧୫ ଦିନ ମଧ୍ୟରେ ଦରବୃଦ୍ଧି ଆକାଶଛୁଆଁ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ଯାହା ଫଳରେ ପ୍ରତିଦିନ ଏହା ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରତିବାଦରେ ସିପିଆଇଏମ୍, ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆଜି ଏକ ପ୍ରତନିଧି ଦଳ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ପ୍ରଦାନ କରିବା ସହିତ ତାଙ୍କ ସରକାର ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଡବଲ ଇଞ୍ଜିନ୍ ସରକାର ନିର୍ବାଚିତ ହୋଇଥିଲେ ମଧ୍ୟ ଏ ଦିଗରେ ଦୃଷ୍ଟି ନଦେବା ସରକାରଙ୍କ ଉଦାସୀନତାକୁ ଦର୍ଶାଉଛି ବୋଲି ପାର୍ଟି ପକ୍ଷରୁ ଉଦ୍‌ବେଗ ପ୍ରକାଶ କରିବା ସହ ଦରଦାମ ନିୟନ୍ତ୍ରଣ ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଛି । ସ୍ଥାନୀୟ ସ୍ତରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଳୁ, ପିଆଜ କଳାବଜାରୀ ଓ ମହଜୁଦକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପାର୍ଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ପ୍ରତିଦିନ ମନ ଇଚ୍ଛା ଆଳୁ, ପିଆଜର ଦରବୃଦ୍ଧି କରାଯାଉଛି ଯାହାଫଳରେ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ଆକ୍ରମଣ କରି କେତେକ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ଭରପୁର ମୁନାଫା ନେବାକୁ ଚାହୁଁଛନ୍ତି । ପ୍ରତ୍ୟେକ ଦିନ ଆଳୁ, ପିଆଜ ଓ ଅନ୍ୟାନ୍ୟ ସାମଗ୍ରୀର ଦର ବୋର୍ଡରେ ଲେଖିବା ଓ ଯୋଗାଣ ବିଭାଗ ପକ୍ଷରୁ ତନଖି କରିବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି । ଅନ୍ୟ ଏକ ପ୍ରସଙ୍କ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ କରିବା, ଏନ୍‌ଟିଏକୁ ରଦ୍ଦ କରିବା ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି । ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ସଂପାଦକ ମଣ୍ଡଳୀ ସଦସ୍ୟ ବସନ୍ତ ନାୟକ, ଚନ୍ଦ୍ରଭାନୁ ଦାସ, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.