ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳ ଓ ସ୍ଵାଧୀନ ପ୍ରାର୍ଥିଙ୍କ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ପରେ ବୌଦ୍ଧରେ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରଚାର । ବୌଦ୍ଧ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର ଶତାଧିକ କଂଗ୍ରେସ ସମର୍ଥକଙ୍କ ସହିତ ବିଭିନ୍ନ ଗ୍ରାମ ବୁଲି ପ୍ରଚାର ଆରମ୍ଭ କରିଛନ୍ତି । ଶ୍ରୀ ମିଶ୍ର ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାର ସର୍ବବୃହତ ଗ୍ରାମ ସରସରାର ସାହି ସାହି ବୁଲି ନିଜପାଇଁ ଭୋଟ ଭିକ୍ଷା କରିଥିଲେ । ପ୍ରାୟ ଦୁଇ ହଜାର ଭୋଟର ଥିବା ଏହି ବଡ଼ ଗ୍ରାମ ଉପରେ ପ୍ରତ୍ୟେକ ପ୍ରାର୍ଥୀ ଗୁରୁତ୍ଵ ପ୍ରଦାନ କରିଥାନ୍ତି । ସେହି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ମଧ୍ୟ ସରସରାର ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ କଂଗ୍ରେସର ଗ୍ୟାରେଣ୍ଟି ବିଷୟରେ ଅବଗତ କରାଇଥିଲେ । ଶ୍ରୀ ମିଶ୍ର ଗ୍ରାମର ବିଭିନ୍ନ ଦେବାଳୟ ମାନଙ୍କରେ ପୂଜାର୍ଚ୍ଚନା କରି ଦେବଦେବୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ଶ୍ରୀ ମିଶ୍ର କଂଗ୍ରେସ କର୍ମୀ ତଥା ସମର୍ଥକଙ୍କ ସହ ଗ୍ରାମର ଘରକୁ ଘର ବୁଲି ଲୋକଙ୍କ ସହିତ ମିଶି ଗ୍ରାମର ବିଭିନ୍ନ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ସହିତ ଆଲେଚନା କରିଥିଲେ । ଶ୍ରୀ ମିଶ୍ର ଜଣେ ଜଣାଶୁଣା ତଥା ବରିଷ୍ଠ ଆଇନଜୀବୀ ହୋଇଥିବାରୁ ଲୋକଙ୍କ ସହିତ ବେଶ୍ ପରିଚିତ । ବିଭିନ୍ନ ସାହିରେ ଶ୍ରୀ ମିଶ୍ରଙ୍କୁ ବିଭିନ୍ନ ଗୋଷ୍ଠୀଙ୍କ ଦ୍ୱାରା ଭବ୍ୟ ସ୍ଵାଗତ କରାଯାଇଥିଲା । ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଦିନବେଳା ଶ୍ରୀ ମିଶ୍ର ନିର୍ବାଚନ ପ୍ରଚାର କରିଥିଲେ । ଏଥର ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ତିନି ମୁଖ୍ୟ ଦଳଙ୍କ ମଧ୍ୟରେ କାଁଟେ କି ଟକ୍କର ହେବ ବୋଲି ଜଣାପଡିଛି । ପ୍ରକାଶ ଥାଉକି ବୌଦ୍ଧରେ ମେ ୨୦ ତାରିଖରେ ଭୋଟ ହେବ । ତେବେ ଜୁନ ୪ ତାରିଖରେ ଜଣାପଡ଼ିବ ହାତୀ କାହା ମୁଣ୍ଡରେ କଳସୀ ଢାଳିବ ।