centurian jitm

କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ସହ ୱାର୍ଡ ନଂ.୨ କଂଗ୍ରେସ ପ୍ରାର୍ଥିନୀ ସୁଜାତା ଓ ୱାର୍ଡ ନଂ.୧୯ କଂଗ୍ରେସ ପ୍ରାର୍ଥୀ ସତ୍ୟବ୍ରତଙ୍କ ପାଇଁ ନରସିଂହଙ୍କ ପ୍ରଚାର

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳର କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ସହ ୱାର୍ଡ ନଂ.୨ କଂଗ୍ରେସ ପ୍ରାର୍ଥିନୀ ସୁଜାତା ଓ ୱାର୍ଡ ନଂ.୧୯ କଂଗ୍ରେସ ପ୍ରାର୍ଥୀ ସତ୍ୟବ୍ରତଙ୍କ ପାଇଁ ବିଧାୟକ ନରସିଂହ ମିଶ୍ର ଆଜି ପ୍ରଚାର କରିଛନ୍ତି । ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ଅଂଚଳର ବିକାଶ ପାଇଁ ଲୋକେ ୨୦୧୪ ମସିହାରେ ବଡ ପରିବର୍ତ୍ତନ ଆଣିଥିଲେ । ତା’ ପରେ ଆମ ସହର ବିକାଶ ଧାରାରେ ଆଗେଇ ଚଲିଛି । ସହରର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ସହରବାସୀ ପାଖକୁ ତାହାର ଫାଇଦା ପହଞ୍ଚାଇବାରେ ପୌରପାଳିକାର ଭୁମିକା ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବିଗତ ତିନି ପାଳି ହେବ ବିଜେଡି ଦଳ ଅଧୀନରେ ଥିବା ପୌରପାଳିକା ଓ ପୌର ପରିଷଦର ଅପାରଗତା ଯୋଗୁଁ ସହରବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଯେପରି ଲୋକେ ବିଜେଡି ବିଧାୟକଙ୍କୁ ତାଙ୍କର ଅପାରଗତା ପାଇଁ ୨୦୧୪ ମସିହାରେ ଉଚିତ ଜବାବ ଦେଇଥିଲେ, ସେହିପରି ସହରର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପୌର ନିର୍ବାଚନରେ ବଲାଙ୍ଗିରବାସୀ ଗତ ତିନି ପାଳିର ଅପାରଗ ବିଜେଡି ଦଳକୁ ପ୍ରତ୍ୟଖ୍ୟାନ କରନ୍ତୁ । ଆମ ବଲାଙ୍ଗିର ସହରର ସର୍ବାଙ୍ଗୀନ ବିକାଶ ପାଇଁ କଂଗ୍ରେସର ପୌରଧକ୍ଷା ପ୍ରାର୍ଥିନୀ ମିଲନୀ ସାହୁ ଓ ଓାର୍ଡ୍ୱ ନଂ.୨ର କାଉନସିଲର ପ୍ରାର୍ଥିନୀ ସୁଜାତା ପୋଢ ତଥା ଓାର୍ଡ୍ୱ ନଂ.୧୯ରେ ସତ୍ୟବ୍ରତ ବଗର୍ତ୍ତୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦାନ କରନ୍ତୁ ବୋଲି ବଲାଙ୍ଗିର ବିଧାୟକ ପୌର ନିର୍ବାଚନ ପ୍ରଚାର ସମୟରେ କହିଛନ୍ତି । ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ ବିକାଶ ଏକ ନିରନ୍ତନ ପ୍ରକ୍ରିୟା । କିନ୍ତୁ ଗୋଟିଏ ଦଳ ବାରମ୍ବାର ଲୋକଙ୍କ ଭୋଟ ପାଉଥିବା ଯୋଗୁଁ ସରକାରୀ ଦଳ ଲୋକଙ୍କ ଆବଶ୍ୟକତାକୁ ନଜର ଅନ୍ଦାଜ କରି ଏଠାରେ ନିଜର ମନମୁଖୀ ଶାସନ ଚଳାଇଛି । ଗତ ତିନି ଥର ହେବ ଲୋକେ ଏହି ସରକାରୀ ଦଳକୁ ପରଖି ସାରିବା ପରେ ଏଥର ମଧ୍ୟ ଉକ୍ତ ଦଳକୁ ଭୋଟ ଦେଲେ ତାହା ଆତ୍ମଘାତୀ ସାବିତ ହେବ । ବଲାଙ୍ଗିର ପୌରପାଳିକାରେ ଗାଦିସୀନ ଥିବା ସରକାରୀ ଦଳର ନେତାମାନେ ଏଠାରେ ପରିମଳ ବ୍ୟବସ୍ଥା, ବର୍ଯ୍ୟବସ୍ତୁ ପରିଚାଳନା, ରୋଡ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ବାଟ ମାରଣା କରିବା ସହ ସହରରେ ଥିବା ବନ୍ଧ ପୋଖରୀ ଗୁଡିକୁ ଅତି ଦୟନୀୟ ଅବସ୍ଥାରେ ରଖିଛନ୍ତି । ତେଣୁ ମୋର ଅନୁରୋଧ, ଏହି ପୌର ନିର୍ବାଚନରେ ଆପଣମାନେ ପୂର୍ବ ଭୁଲକୁ ଦୋହରାନ୍ତୁ ନାହିଁ । ଏଥର ସହରର ବିକାଶକୁ ଆହୁରି ବିକଶିତ କରିବା ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ । ଆମେ ଦୃଢ ପ୍ରତିଶୃତି ଦେଉଛୁ ବଲାଙ୍ଗିରର ସଂପୁର୍ଣ୍ଣ ବିକାଶ ହେବ । ଆଜିର ଏହି ପ୍ରଚାର କାର୍ଯ୍ୟକ୍ରମରେ ନଗର ସଭାପତି ବୁଲୁ ଦାନୀ, ଛାତ୍ର ସଭାପତି ଅଙ୍କିତ ସାହୁ, ଲୋପନ ମିଶ୍ର, ଚିଣ୍ଟୁ ପଣ୍ଡା, ଟିଟୁ ମହାନ୍ତି, ବିଦ୍ୟାଧର ସାହୁ, ବ୍ରହ୍ମା ବଗର୍ତ୍ତୀ ଓ ରବିନ୍ଦ୍ର ପାଣୀଗ୍ରାହୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.