ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଷ୍ଟ୍ରୀୟ ପୋଷଣ ମାସ ଗତ ସେପ୍ଟେମ୍ବର ୧ ତାରିଖରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି । ଗଞ୍ଜାମ ଆଇସିଡ଼ିଏସ୍‌ ପକ୍ଷରୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଏହାକୁ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡର ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସିଡିପିଓ ସଲୀଳା ପ୍ରଧାନ ଯୋଗଦେଇ ଉପସ୍ଥିତ ମହିଳା ଓ କିଶୋରୀ ବାଳକ ଓ ବାଳିକାମାନଙ୍କୁ ପୋଷଣ ଯୁକ୍ତ ଖାଦ୍ୟର ବ୍ୟବହାର ଉପକାରିତା ସମ୍ପର୍କରେ ବୁଝାଇବାକୁ ଯାଇ ବାଡ଼ି ବଗିଚାରେ ମିଳୁଥିବା ସବୁଜ ପନିପରିବା, ଶାଗ, ବାଜରା, ମାଣ୍ଡିଆ, କାଙ୍ଗୁ, ଜଅ, ଶୁଆଁ ଆଦି ପୋଷଣ ଯୁକ୍ତ ଖାଦ୍ୟ ଆହାର ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ସୁପରଭାଇଜର ଭାରତୀ ବ୍ରହ୍ମା, ସ୍ଥାନୀୟ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ରେଣୁପ୍ରଭା ଦେବୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖାଦ୍ୟ ଖାଇବା ପୂର୍ବରୁ ହାତ ଧୋଇ ଆହାର କରିବା ଏବଂ ଡାଲି ଜାତୀୟ ଖାଦ୍ୟଆହାର ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଅଙ୍ଗନବାଡି କର୍ମୀ ବବିତା ସେଠୀଙ୍କ ପୌରୋହିତରେ ବିଭିନ୍ନ ପୁଷ୍ଟିସାର ଯୁକ୍ତ ଖାଦ୍ୟ ପ୍ରସ୍ତୁତି ପ୍ରଦର୍ଷିତ କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ଶୋଭାଯାତ୍ରା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଗର୍ଭବତୀ, ପ୍ରସୂତି ମା, ସ୍ୱୟଂ ସାହାୟିକା ମହିଳା, କିଶୋର ବାଳକ, ବାଳିକା ମାନେ ଉପସ୍ଥିତ ରହିଥିଲେ । ସାହାୟିକା ବିଜୟ କୁମାରୀ ଦାସ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.