ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବୈଠକ ଗୃହଠାରେ ଜିଲ୍ଲାପାଳ ଗୌରୱ ଶିୱାଜି ଇସାଲୱାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଡେପୁଟି କଲେକ୍ଟର ଦେବସ୍ମିତ ମଲ୍ଲିକଙ୍କ ସମେତ ବିଭିନ୍ନ ରାଜନୀତି ଦଳର ପ୍ରତିନିଧି ଉପସ୍ଥିତ ଥିଲେ । ଏଥିରେ ନୂତନ ଭାବେ ଗଠିତ ୧୯୯ଟି ପୋଲିଂ ଷ୍ଟେସନ ସମ୍ପର୍କରେ ସବିଶେଷ ଭାବେ ରାଜନୀତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଥିଲା । ବୈଠକରେ ଉପସ୍ଥାପନ କରାଯାଇଥିବା ୧୯୯ଟି ନୂତନ ପୋଲିଂ ଷ୍ଟେସନ ଯଥା : ୬୬-ଲୋଇସିଂହା ନିର୍ବାଚନୀ ମଣ୍ଡଳୀରେ ୨୯୪ଟି ଥିଲା ବର୍ତ୍ତମାନ ନୂତନ ଭାବେ ୩୭ଟି ଯୋଗ ହୋଇ ମୋଟ ୩୩୧ଟି ପୋଲିଂ ଷ୍ଟେସନ, ୬୭-ପାଟଣାଗଡ ନିର୍ବାଚନୀ ମଣ୍ଡଳୀରେ ୩୫୨ଟି ଥିଲା ବର୍ତ୍ତମାନ ନୂତନ ଭାବେ ୫୬ଟି ଯୋଗ ହୋଇ ମୋଟ ୪୦୮ଟି ପୋଲିଂ ଷ୍ଟେସନ, ୬୮-ବଲାଙ୍ଗିର ନିର୍ବାଚନୀ ମଣ୍ଡଳୀରେ ୨୭୧ଟି ଥିଲା ବର୍ତ୍ତମାନ ନୂତନ ଭାବେ ୩୩ଟି ଯୋଗ ହୋଇ ମୋଟ ୩୦୪ଟି ପୋଲିଂ ଷ୍ଟେସନ, ୬୯- ଟିଟିଲାଗଡ ନିର୍ବାଚନୀ ମଣ୍ଡଳୀରେ ୩୦୯ ଟି ଥିଲା ବର୍ତ୍ତମାନ ନୂତନ ଭାବେ ୨୮ଟି ଯୋଗ ହୋଇ ମୋଟ ୩୩୭ଟି ପୋଲିଂ ଷ୍ଟେସନ, ୭୦- କଣ୍ଟାବାଞ୍ଜି ନିର୍ବାଚନୀ ମଣ୍ଡଳୀରେ ୩୩୫ଟି ଥିଲା ବର୍ତ୍ତମାନ ନୂତନ ଭାବେ ୪୫ଟି ଯୋଗ ହୋଇ ମୋଟ ୩୮୦ଟି ପୋଲିଂ ଷ୍ଟେସନ ଗଠନ କରାଯାଇଅଛି । ତେବେ ପୂର୍ବରୁ ୧୫୬୧ଟି ପୋଲିଂ ଷ୍ଟେସନ ଥିଲାବେଳେ ବର୍ତ୍ତମାନ ନୂତନ ଭାବେ ୧୯୯ ଟି ଯୋଗ ହୋଇ ସର୍ବମୋଟ ୧୭୬୦ ପୋଲିଂ ଷ୍ଟେସନ ହୋଇଛି । ସେହିପରି ଭାବେ ପାଟଣାଗଡର ୧ଗୋଟି, ଟିଟିଲାଗଡର ୨ ଗୋଟି, କଣ୍ଟାବାଞ୍ଜିର ୨ ଗୋଟି ପୋଲିଂ ଷ୍ଟେସନର ସ୍ଥାନ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଆଗତ ହୋଇଛି ।