ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସିନାପାଲି ସହରର ଶିକ୍ଷକ ଦୈତାରୀ ମେହେର (୫୨) ଅପହରଣ ହୋଇଥିବା ନେଇ ପରିବାର ଲୋକେ ସିନାପାଲି ଥାନାର ଦ୍ୱାରସ୍ଥ ହେବାର ୧୨ ଘଣ୍ଟା ନ ପୁରୁଣୁ ସିନାପାଲି ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି । ସିନାପାଲି ଥାନା ଅଧିକାରୀ ଦୁର୍ଗାମାଧବ ବାଗଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍ ତଦନ୍ତ କରିବା ସହ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରୁ ଶିକ୍ଷକଙ୍କୁ ଉଦ୍ଧାର କରିଥିବା ସିନାପାଲି ଥାନା ଅଧିକାରୀ ଶ୍ରୀ ବାଗ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଶନିବାର ସକାଳୁଆ ସ୍କୁଲ ଥିବାରୁ ବାଇକ ଯୋଗେ ଯାଉଥିଲେ । ପ୍ରାୟ ୭ ଘଣ୍ଟା ସମୟରେ ସରଧାପୁର- କର୍ଲାପାଣି କାଜୁ ବଗିଚା ନିକଟରେ ଦୁର୍ବୃତ୍ତମାନେ ଏକ ଧଳାରଙ୍ଗର କାରରେ ଆସି ମାରଣାସ୍ତ୍ର ଦେଖାଇ ତାଙ୍କୁ ନେଇଯାଇଥିଲେ । ସେମାନେ ଉଭୟ ଆଞ୍ଚଳିକ ଓ ଛତିଶଗଡ଼ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଶିକ୍ଷକଙ୍କ ମୋବାଇଲ ନମ୍ବରରେ ଘରକୁ ଫୋନ କରି ଟଙ୍କା ମାଗିଥିଲେ । ପରେ ଘରଲୋକ ସିନାପାଲି ଥାନାରେ ଜଣାଇବା ପରେ ପୋଲିସ ତନାଘନା ଆରମ୍ଭ କରି ମୋବାଇଲ ଟ୍ରାକ କରି ଶିକ୍ଷକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ପୋଲିସ ଶିକ୍ଷକ ଜଣଙ୍କୁ ଥାନାରେ ରଖି ପଚରା ଉଚୁରା ଚଳାଇଥିବା ବେଳେ ଦୁର୍ବୃତ୍ତମାନେ ଧରାପଡ଼ି ନାହାନ୍ତି ।
Prev Post