ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଠ ବର୍ଷର ପୁଅ ମୃତ : କିଛି ସମୟ ପାଇଁ ଉତ୍ତେଜନା ପରେ ପହଞ୍ଚିଲେ ପୋଲିସ ଓ ଏସ୍ଡିଏମ୍ଓ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ଅନ୍ତର୍ଗତ ମାଳିଶିରା ଗ୍ରାମ ପଞ୍ଚାୟତର ଚିକିନିବାହାଲି ଗାଁର ହଳଧର ବସ୍ତିଆଙ୍କ ଆଠବର୍ଷର ପୁଅଙ୍କ ମୃତ୍ୟୁ ପରେ ଶୁକ୍ରବାର ଅପରାହ୍ନରେ ମାତୃ ଶିଶୁ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଓ ଏସ୍ଡିଏମ୍ଓ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଗୁରୁବାର ରାତି ୩ଟାରେ ହଳଧର ବସ୍ତିଆ ତାଙ୍କ ପୁଅ ସ୍ଵସ୍ତିକ ବସ୍ତିଆଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନ ଥିବାରୁ ଟିଟିଲାଗଡ଼ ମାତୃଶିଶୁ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ରକ୍ତହୀନତା ଦେଖି ରକ୍ତ ଲଗାଇବାକୁ ପରାମର୍ଶ ଦେଇଥିଲେ । ଶୁକ୍ରବାର ଅପରାହ୍ନ ସାଢେ଼ ଦୁଇଟା ସମୟରେ ଡ. ଅସିତ୍ ମହାନ୍ତି ସ୍ଵସ୍ତିକ ବସ୍ତିଆଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ଚିକିତ୍ସା ଅଭାବରୁ ଆମର ପୁଅର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ । ତେବେ ଏନେଇ ସ୍ଵସ୍ତିକଙ୍କ ମାମୁଁ ବିସ୍ପୋରକ ବୟାନ ଦେବା ସହ ମାତୃ ଶିଶୁ ହସ୍ପିଟାଲରେ ଡାକ୍ତର ଶିଶୁଙ୍କୁ ଭଲ ଭାବେ ଦେଖୁ ନ ଥିବା, କାର୍ୟ୍ୟ ସମୟରେ ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଥିବା ଯୋଗୁଁ ଆମ ଭଣଜାର ଜୀବନ ଗଲା ବୋଲି ଦୋଷାରୋପ କରିଛନ୍ତି । ସେହିପରି ମାତୃଶିଶୁ ହସ୍ପିଟାଲରେ ଶୁକ୍ରବାର ସକାଳେ ଡ଼ାକ୍ତର ବିଜୁ ଅଗ୍ରୱାଲ ରାଉଣ୍ଡ କରୁଥିବା ବେଳେ ରୋଗୀ ସ୍ଵସ୍ତିକ ବେଡରେ ନ ଥିବା, ରାତିରେ ତାଙ୍କୁ ଉପସ୍ଥିତ ଡାକ୍ତର ପ୍ରାରମ୍ଭିକ ଚିକିତ୍ସା ଯୋଗାଇବା ସହ ରକ୍ତ ଯୋଗାଡ କରିବା ପାଇଁ ପରାମର୍ଶ ଦେବା ହସ୍ପିଟାଲ କତ୍ର୍ତ୍ତୃପକ୍ଷ କହିଛନ୍ତି । ଗୁରୁତର ଶିଶୁଙ୍କ ରକ୍ତ ଦେବା ପୂର୍ବରୁ ମୃତ୍ୟୁ ହୋଇଛି, ରହିଲା ଶିଶୁ ରୋଗ ବିଶେଷଜ୍ଞମାନେ କାର୍ୟ୍ୟରେ ଠିକ ସମୟରେ ଉପସ୍ଥିତ ନ ଥିବା ବିଷୟରେ ପଚାରିବାରୁ ଏହାକୁ ଖଣ୍ଡନ କରିବା ସହ ୨୪ ଘଣ୍ଟା ଏଠାରେ ଡାକ୍ତର ସେବା ପ୍ରଦାନ କରୁଛନ୍ତି ବୋଲି ଏସ୍ଡିଏମ୍ଓ ପି. କେ. ନାଏକ କହିଛନ୍ତି ।